ପଞ୍ଚସଖା ଶିକ୍ଷସେତୁ କାର୍ଯ୍ୟକ୍ରମ; ଜନ ଭାଗିଦାରୀ ଓ ସହଯୋଗରେ ବିଦ୍ୟାଳୟର ହେବ ଉନ୍ନତି
କୋଣାର୍କ,୦୩.୦୫- ପୁରୀ ଜିଲ୍ଲା ଶିକ୍ଷଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପଞ୍ଚସଖା ଶିକ୍ଷା ସେତୁ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଣାର୍କ ନିକଟସ୍ଥ ଆର୍ତ୍ତତ୍ରାଣ କର୍ତିକେଶ୍ଵର ବିଦ୍ୟାପୀଠ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ହରଚଣ୍ଡି ଠାକୁରାଣୀ ଙ୍କ ପୀଠରେ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ସଭାପତି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ,ଗ୍ରାମବାସୀ, ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପଞ୍ଚସଖା ଶିକ୍ଷାସେତୁ ସମ୍ପର୍କରେ ବିଶଦ ଭାବରେ ବୁଝାଇଥିଲେ । ସ୍କୁଲ୍ ସହ ଜନ ଭାଗିଦାରୀ ଓ ସହଯୋଗରେ ବିଦ୍ୟାଳୟର ଉନ୍ନତି ହୋଇପାରିବ।

ଏଥିପାଇଁ ଗ୍ରାମବାସୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସି ସହଯୋଗ କରିବାକୁ ପ୍ରଧାନଶିକ୍ଷକ ରାମକୃଷ୍ଣ ମହାନ୍ତି ନିବେଦନ କରିବା ସହିତ ବିଶଦ ଭାବେ କାର୍ଯ୍ୟକ୍ରମ ସମ୍ଵନ୍ଧରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବିଶ୍ୱଜିତ୍ ସ୍ୱାଇଁ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଲେଙ୍କା, ବରିଷ୍ଠ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର, ଭୈରବ କ୍ଲଷ୍ଟର ସିଆରସିସି ରବିନ୍ଦ୍ର ନାଥ ବାହିନୀପତି , ସୁକାନ୍ତ କୁମାର ଲେଙ୍କା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷକ ମାନସ କୁମାର ମୁଦୁଲି, ଦିଲୀପ କୁମାର ନାୟକ, ଶିକ୍ଷୟତ୍ରୀ ନିହାରିକା ମହାନ୍ତି, ଆଭାସ ମୁଦୁଲି, ଅଭୟ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।
