ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡ୍ ସ୍ଥିତ ଗଭର୍ଣ୍ଣମେଣ୍ଟ ହାଉସଠାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କୁ ଭେଟିଛନ୍ତି। ଗଭର୍ଣ୍ଣମେଣ୍ଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପାରମ୍ପରିକ ମାଓରି ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ ସମାରୋହରେ ଶାନ୍ତି, ସମ୍ମାନ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ସ୍ୱରୂପ ପାରମ୍ପରିକ ମାଓରି ରୀତିନୀତି ପ୍ରଦର୍ଶିତ ହୋଇଥିଲା। ଏହି ପାରମ୍ପରିକ ସ୍ୱାଗତ ପରେ ପ୍ରଧାନମନ୍ତ୍ରୀ ‘ଗାର୍ଡ ଅଫ୍ ଅନର୍’ ପରିଦର୍ଶନ କରିଥିଲେ।ଦୁଇ ପ୍ରଧାନମନ୍ତ୍ରୀ ସୀମିତ ଏବଂ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଫର୍ମାଟରେ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, କୃଷି-ପ୍ରଯୁକ୍ତି, କ୍ରୀଡ଼ା, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ସାମିଲ ଥିଲା। ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରି ଦ୍ବିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗିତାରେ ପରିଣତ କରିବାକୁ ଉଭୟ ରାଜି ହୋଇଥିଲେ। ପାରସ୍ପରିକ ସ୍ୱାର୍ଥ ନିହିତଥିବା କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଗଭୀର କରିବା ପାଇଁ ସେମାନେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହା ସହିତ ସେମାନେ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ଘଟଣାବଳୀ ଉପରେ ଆଲୋଚନା କରିଥିଲେ ଏବଂ ବହୁପାକ୍ଷିକ ମଞ୍ଚଗୁଡ଼ିକରେ ସହଯୋଗକୁ ମଜବୁତ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ଆଲୋଚନା ପରେ, ଦୁଇ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା, ହାଇଡ୍ରୋଗ୍ରାଫି, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଉଦ୍ୟୋଗ, ପର୍ଯ୍ୟଟନ, ସାମୁଦ୍ରିକ ଐତିହ୍ୟ, ସଂସ୍କୃତି, ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ସମୁଦ୍ର ଗବେଷଣା କ୍ଷେତ୍ରରେ କେତେକ ବୁଝାମଣାପତ୍ର ଏବଂ ସହମତି ସ୍ବାକ୍ଷରିତ ହୋଇଥିଲା। ଏହି ସଫଳତାର ତାଲିକା ଏଠାରେ ଦେଖାଯାଇପାରିବ। ଦ୍ୱିପାକ୍ଷିକ ସହଭାଗିତାର ଆଗାମୀ ପନ୍ଥା ଉପରେ ଦୁଇ ନେତାଙ୍କ ଦ୍ୱାରା ଏକ ମିଳିତ ବିବୃତି ମଧ୍ୟ ଗ୍ରହଣ କରାଯାଇଥିଲା।ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ଆଦର ଓ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଭାରତ ଗସ୍ତ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *