ପୁରୀ ବଡଦାଣ୍ଡ ରୁ ହଟୁଛି ଜବରଦଖଲ ..ଉଚ୍ଛେଦ ଦୋକାନୀଙ୍କ ମନରେ ଅସନ୍ତୋଷ
ପୁରୀ ବଡଦାଣ୍ଡରୁ ହଟୁଛି ଜବରଦଖଲ। ପୁରୀର ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଆଜି ପୁରୀ ମହାନଗର ନିଗମ ପକ୍ଷରୁ ବ୍ୟାପକ ଜବରଦଖଲ ଉଚ୍ଛେଦ କରାଯାଇଛି। ସ୍ଥାନୀୟ ବାସୀନ୍ଦା,ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁଗମ ଯାତାୟାତ ପାଇଁ ଏହି ଅଭିଯାନ କରାଯାଇଛି। ରାସ୍ତା ଉପରେ ଥିବା ବେଆଇନ୍ ଦୋକାନ,ଠେଲାଗାଡି ଓ ଅସ୍ଥାୟୀ ନିର୍ମାଣକୁ ଜେସିବି ଲଗାଇ ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି। ଉଚ୍ଛେଦର ମୁଖ୍ୟ ଉଦେଶ୍ୟ ହେଉଛି ସାର୍ବଜନୀନ ସ୍ଥାନ ପୁନରୁଦ୍ଧାର, ପ୍ରବେଶ ସୁଗମ କରିବା, ପରିଷ୍କାର ପରିଚ୍ଛନ୍ନତା ଓ ଶୃଙ୍ଖଳା ବଜାୟ ରଖିବା। ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଉଛି। ତେବେ ବଡଦାଣ୍ଡ ଏକ ଜାତୀୟ ରାଜପଥ ହୋଇଥିବା ବେଳେ ରାସ୍ତାରେ ବେଆଇନ୍ ଦଖଲ ନକରିବା, ପୁରୀର ଐତିହ୍ୟ ଓ ସୌନ୍ଦର୍ଯ୍ୟ ରକ୍ଷାରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିଭଳି ନଘଟିବ ସେନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଉଚ୍ଛେଦ ଦୋକାନୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।
