ପୁରୀ ପୋଲିସର ଜନସାଧାରଣଙ୍କୁ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ନାକା ବ୍ଲକିଂ ଓ ଗାଡି ଯାଞ୍ଚ

ପୁରୀ ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା ଓ ଆଇନ-ଶୃଙ୍ଖଳାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଗତ ରାତି ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ନାକା ବ୍ଲକିଂ ଏବଂ ଗାଡ଼ି ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଥିଲା ।ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନେ ଏହି ବିଶେଷ ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇଥିଲେ ।ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ, ଗୁରୁତ୍ୱପୂର୍ଣ୍ଣ ଛକ, ସହର ଅଞ୍ଚଳ, ପର୍ଯ୍ୟଟନ ସ୍ଥଳୀ ଏବଂ ସନ୍ଦେହଜନକ ଚଳାଚଳ ଥିବା ସ୍ଥାନଗୁଡ଼ିକରେ ରାତି ସାରା ଗାଡ଼ି ଯାଞ୍ଚ କରାଯାଇଥିଲା । ସିଟି ସବ୍-ଡିଭିଜନରେ ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ନାକା ବ୍ଲକିଂ ଓ ଚେକିଂ କରାଯାଇଥିଲା । ସେହିପରି ନିମାପଡା ସବ୍-ଡିଭିଜନରେ ଏସଡିପିଓ ନିମାପଡା ଶ୍ରୀ ଜନାର୍ଦ୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିବା ବେଳେ ପିପିଲି ସବ୍-ଡିଭିଜନରେ ଏସଡିପିଓ ପିପିଲି ଶ୍ରୀ ଦେବାଶିଷ ମିଶ୍ର ଏବଂ ସଦର ସବ୍-ଡିଭିଜନରେ ଏସଡିପିଓ ସଦର ଶ୍ରୀ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଚେକିଂକୁ କଡାକଡି କରାଯାଇଥିଲା । ଏହି ଅଭିଯାନ ସମୟରେ ସନ୍ଦେହଜନକ ଗାଡ଼ି, ବେଆଇନ ଅସ୍ତ୍ର, ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକ, ଅବୈଧ ସାମଗ୍ରୀ ପରିବହନ ଏବଂ ଆପରାଧିକ କାର୍ଯ୍ୟକଳାପ ଉପରେ ବିଶେଷ ନଜର ରଖାଯାଇଥିଲା ।

ବିଭିନ୍ନ ଯାନବାହନର ଡକ୍ୟୁମେଣ୍ଟ, ଡ୍ରାଇଭିଂ ଲାଇସେନ୍ସ ଓ ପରିଚୟପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା । ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏଭଳି ସର୍ପ୍ରାଇଜ ନାକା ବ୍ଲକିଂ ଓ ଚେକିଂ ଅଭିଯାନ ଜାରି ରହିବ । ଜନସାଧାରଣଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପୁରୀ ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ ବୋଲି ପୁଲିସ ପକ୍ଷରୁ ଜଣାଯାଇଛି । ପୁରୀ ପୋଲିସ ସାଧାରଣ ଲୋକଙ୍କୁ ମଧ୍ୟ ଅନୁରୋଧ କରିଛି ଯେ, ରାତି ସମୟରେ ଯାତାୟାତ କରିବା ବେଳେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଯାତ୍ରା କରନ୍ତୁ ଏବଂ ଚେକିଂ ସମୟରେ ପୋଲିସକୁ ସହଯୋଗ କରନ୍ତୁ । ଜନସହଯୋଗ ମାଧ୍ୟମରେ ମାତ୍ର ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନ ସମ୍ଭବ ବୋଲି ପୁରୀ ପୋଲିସ ମତ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *