ମହାପ୍ରଭୁଙ୍କ ଆପତ୍ତିଜନକ ଫଟୋ ବ୍ୟବହାର ନ କରିବାକୁ ପୁରୀ ପୋଲିସ ପକ୍ଷରୁ ସଚେତନତା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅନସର ସମୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆର ବିଭିନ୍ନ platform ରେ ମହାପ୍ରଭୁଙ୍କୁ ନେଇ କିଛି ଆପତ୍ତିଜନକ ଅନୁଚିତ ଭାବେ ଏଡିଟ ଫଟୋ, ଭିଡିଓ ଏବଂ ପୋଷ୍ଟ ପ୍ରଚାର ହେଉଥିବା ପୁରୀ ପୋଲିସର ନଜରକୁ ଆସିଥିଲା। ଏପରି କଣ୍ଟେଣ୍ଟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ଥାଏ । ଏହାକୁ ଗୁରୁତ୍ୱର ସହ ନେଇ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅନଲାଇନ ମନିଟରିଂ ଓ ଡ୍ରାଇଭ ଆରମ୍ଭ କରାଯାଇଥିଲା। ପୁରୀ ପୋଲିସର ଏକ ବିଶେଷ ଟିମ ଦ୍ୱାରା ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ ନିରନ୍ତର ନଜର ରଖାଯାଇ ସନ୍ଦିଗ୍ଧ ଏବଂ ଆପତ୍ତିଜନକ କଣ୍ଟେଣ୍ଟ ଚିହ୍ନଟ କରାଯାଇଥିଲା। ଏହି ଡ୍ରାଇଭ ମାଧ୍ୟମରେ ଗତ ୩ ଦିନ ମଧ୍ୟରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରଚାରିତ ମୋଟ ୯୭ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ ଚିହ୍ନଟ କରାଯାଇ ସଫଳତାର ସହିତ ଟେକ ଡାଉନ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ସମସ୍ତ ନାଗରିକ ମାନଙ୍କୁ ବିନମ୍ର ଅନୁରୋଧ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡିତ କୌଣସି ଫଟୋ, ଭିଡିଓ କିମ୍ବା ଅନ୍ୟାନ୍ୟ କଣ୍ଟେଣ୍ଟକୁ ଅନୁଚିତ ଭାବରେ ଏଡିଟ, ଡିଷ୍ଟର୍ଟ କିମ୍ବା ସେୟାର କରନ୍ତୁ ନାହିଁ। ସୋସିଆଲ ମିଡିଆରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା ପୂର୍ବରୁ ତାହାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପ୍ରଭାବକୁ ନିଶ୍ଚିତ ଭାବେ ବିଚାର କରନ୍ତୁ। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ଭାବନାର କେନ୍ଦ୍ରବିନ୍ଦୁ। ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ଆମର ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ରଖିବା। ସମସ୍ତଙ୍କ ସହଯୋଗ ଓ ସଚେତନତା ଦ୍ୱାରା ଆମେ ଏକ ସୁସ୍ଥ, ସୁରକ୍ଷିତ ଓ ସମ୍ମାନଜନକ ଡିଜିଟାଲ ପରିବେଶ ଗଢ଼ି ତୋଳିପାରିବା। ଆଗାମୀ ଦିନରେ ମଧ୍ୟ ଏପରି ଆପତ୍ତିଜନକ କଣ୍ଟେଣ୍ଟ ବିରୋଧରେ ପୁରୀ ପୋଲିସର ନଜର ରହିଛି । କୌଣସି ଅପତ୍ତିଜନକ ପୋଷ୍ଟ କିମ୍ବା କଣ୍ଟେଣ୍ଟ ଆପଣଙ୍କ ନଜରକୁ ଆସିଲେ, ଦୟାକରି ତୁରନ୍ତ ପୁରୀ ପୋଲିସକୁ ଅବଗତ କରନ୍ତୁ।

Leave a Reply

Your email address will not be published. Required fields are marked *