ପୁରୀରେ ବ୍ରିକ୍ସ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କଲେ ପୁରୀ ଏସ୍ପି.
ଜୁନ ୩ ରୁ ପୁରୀରେ ଆରମ୍ଭ ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ରସମୂହର ‘ବିପର୍ଯ୍ୟୟ ପରିଚାଳନା ,ପ୍ରତିରୋଧ କ୍ଷମତା ବୃ୍ଦ୍ଧି ବୈଷୟିକ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୧ ଦେଶର ପ୍ରତିନିଧି ଯୋଗ ଦେଉଥିବାରୁ ପୁରୀ ସହରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି । ପୁରୀ ଏସପି ହୋଟେଲ ତାଜଠାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ବ୍ରାଜିଲ, ଋଷିଆ, ଚାଇନା, ଇରାନ, ସାଉଦି ଆରବ, ୟୁଏଇ ସମେତ ୧୧ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଏହି ହୋଟେଲରେ ରହିବେ । ପ୍ରଥମ ସ୍ତରରେ ଓଡ଼ିଶା ପୋଲିସ, ଦ୍ୱିତୀୟରେ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ ଓ ତୃତୀୟ ସ୍ତରରେ କେନ୍ଦ୍ରୀୟ ବାହିନୀ ମୁତୟନ ହେବେ । ପୁରୀ ସହରର ସମସ୍ତ ପ୍ରବେଶ ପଥ, ମୁଖ୍ୟ ରାସ୍ତା, ହୋଟେଲ ଓ ସମ୍ମିଳନୀ ସ୍ଥଳକୁ ସିସିଟିଭି ବଳୟରେ ରଖାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ପ୍ରତିନିଧିମାନଙ୍କର କୋଣାର୍କ, ଚନ୍ଦ୍ରଭାଗା ଓ ସାତପଡା ଗସ୍ତ କାର୍ଯ୍ୟକ୍ରମ ରହିଥିବାବଳେ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ବମ ନିଷ୍କ୍ରିୟକାରୀ ଦଳ ଓ ଡଗ୍ ସ୍କ୍ୱାଡ୍ ମୁତୟନ ରହିବେ । ଜୁନ ୩ରୁ ୫ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ମେରାଇନ ଡ୍ରାଇଭ ରୋଡରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ରହିବ । ବିକଳ୍ପ ରାସ୍ତା ପାଇଁ ସାଇନବୋର୍ଡ ଲଗାଯିବ | ବିପର୍ଯ୍ୟୟ ପରିଚାଳନା, ବାତ୍ୟା ମୁକାବିଲା ଓ ସଫଳ ସ୍ଥାନାନ୍ତରିତ କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ପାଇଁ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପୁରୀରେ ଆୟୋଜନ କରାଯାଉଛି । ଏହା ମାଧ୍ୟମରେ ବିଶ୍ୱସ୍ତରରେ ଓଡ଼ିଶାର ଛବି ଆହୁରି ଉଜ୍ଜ୍ୱଳ ହେବ ବୋଲି ପ୍ରଶାସନ ଆଶା ରଖିଛି । ପୁରୀ ଏସପି କହିଛନ୍ତି, “କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ପ୍ରତିନିଧିମାନଙ୍କ ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ।
