ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ବିକ୍ଷୋଭ
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ବିକ୍ଷୋଭ ନୂତନ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ଗର୍ଜିଲେ କର୍ମୀଭଦ୍ରକ, ୩୦ ମେ: ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଆଜି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଏକ ଜୋରଦାର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଶତାଧିକ କର୍ମୀ ଓ ସଦସ୍ୟ ଏହି ଆନ୍ଦୋଳନରେ ଯୋଗଦେଇ ସରକାରଙ୍କ ମଦ ନୀତି ବିରୋଧରେ ତୀବ୍ର ପ୍ରତିବାଦ କରିଥିଲେ।ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ସମୟରେ ବର୍ତ୍ତମାନର ବିଜେପି ସରକାର ରାଜ୍ୟରେ ନିଶାମୁକ୍ତ ପରିବେଶ ସୃଷ୍ଟି କରିବା ଏବଂ ମଦ ବିକ୍ରି ଉପରେ କଠୋର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାରକୁ ଆସିବା ପରେ ସେହି ପ୍ରତିଶ୍ରୁତିର ବିପରୀତ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂତନ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଲଟେରୀ ପ୍ରକ୍ରିୟା ଚାଲୁ ରଖାଯାଉଛି।ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଭଦ୍ରକ ଜିଲ୍ଲାରେ ୫୪ଟି ନୂତନ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଲଟେରୀ କରାଯାଇଥିବା ଖବର ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ଦ୍ୱାରା ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ପରିବାର ଓ ସମାଜ ଉପରେ କୁପ୍ରଭାବ ପଡ଼ିବ ବୋଲି କହିଥିଲେ।
