ଓଡ଼ିଶା ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରଥଯାତ୍ରାର ତୃଟିଶୁନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ, ନିର୍ଘଣ୍ଟ ସମୟସୀମା ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱସମସ୍ତ ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଦୁଇ ଦିନ ପାଇଁ ରଥ ଟଣା ଯାଉଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ, ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେଇଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୦୨ ଜୁଲାଇ ୨୦୨୪ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ।

ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି।ସେ ପୁଣି କହିଲେ ଯେ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ ତାଙ୍କ ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ। ଏହାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ଯେହେତୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ ।ସମସ୍ତଙ୍କ ମିଳିତ ସହଯୋଗରେ ରଥଯାତ୍ରା ସୁରୁଖୁରରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ, ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ, ମହାପ୍ରଭୁଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରି ସଫଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।ଏ ବର୍ଷ ଏକ ବିରଳ ରଥଯାତ୍ରା । ଏହି ଅବସରରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଖୁସି ପ୍ରକାଶ କରି କହିଥିଲେ ଯେ ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ସୂଚନାଧର୍ମୀ ପୁସ୍ତକ ରୂପରେଖ କୁ ଉନ୍ମୋଚନ କରିଥିଲେ।ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା,ରାଜ୍ୟ ସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ,ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା,ପୋଲିସ ଡିଜି ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ,ଅଗ୍ନିଶମ ଡିଜି ଡା ସୁଧାଂଶୁ ଷଡ଼ଙ୍ଗୀ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ,ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ମହାପ୍ରଭୁଙ୍କ ସେବାୟତବୃନ୍ଦ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି ବି ଯାଦବ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ରଥଯାତ୍ରା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ଶେଷରେ ଏସ ପି ଶ୍ରୀ ପିନାକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
