କୋର୍ଟ ସ୍ଥିତାବସ୍ଥା ନିର୍ଦେଶ ସତ୍ବେ ପାର୍କିଂ ଓ ମାର୍କେଟ କମ୍ପ୍ଲେକ୍ସ ନିଲାମ ପାଇଁ ସରପଞ୍ଚଙ୍କ ନୋଟିସ

ଗୋପ – ଗୋପ ବ୍ଳକ ସୂତନ ପଞ୍ଚାୟତ ସରପଞ୍ଚଙ୍କ ନିମାପଡ଼ା କୋର୍ଟକୁ ବେଖାତିର କରୁଥିବା ନେଇ ନଜର ଆସିଛି। ମାନ୍ୟବର କୋର୍ଟଙ୍କ ଜାଗା ଉପରେ ସ୍ଥିତାବସ୍ଥା ନିର୍ଦେଶ ସତ୍ବେ ରାମଚଣ୍ଡୀ ପୀଠ ପାର୍କିଂ ଓ ମାର୍କେଟ କମ୍ପ୍ଲେକ୍ସ ନିଲାମ ପାଇଁ ସରପଞ୍ଚ ପଞ୍ଚାୟତ ଅଫିସରେ ନୋଟିସ କରିଛନ୍ତି। ଯାହା ବେଆଇନ୍ ଓ କୋର୍ଟକୁ ବେଖାତିର କରୁଥିବା ନେଇ ରାମଚଣ୍ଡୀ ମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗୋପ ତହସିଲ ଅନ୍ତର୍ଗତ ସୂତନ ରାଜ୍ବସ ସର୍କଲ ଖାଲକଟା ମୌଜାର ୪୨ ନମ୍ବର୍ ଖାତା ୧୨୧୦ ପ୍ଲଟ ଜମି ୫ଏକର ୬୫ ଡିସିମିଲି ମା ରାମଚଣ୍ଡୀଙ୍କ ବିଜେସ୍ଥଳୀ ନାମରେ ଥିବା ବେଳେ ଏହାର ମାର୍ଫତ ସେବାୟତ ମାନେ ଅଛନ୍ତି। ଏହି ଜାଗାରେ ବେଆଇନ୍ ଭାବେ ପର୍ଯ୍ୟଟନ ବିଭାଗ କୋଣାର୍କ ଅଫିସ ପକ୍ଷରୁ ପାର୍କିଂ ଫି ଆଦାୟ କରୁଥିଲା । ଉକ୍ତ ଅର୍ଥ ମା ରାମଚଣ୍ଡୀ ଙ୍କ ଉନ୍ନୟନ ରେ ଲାଗୁଥିଲା। କିନ୍ତୁ ୨୦୨୨ ରେ ପଞ୍ଚାୟତ ସରପଞ୍ଚ ଜବରଦଖଲ କରି ଉକ୍ତ ଜାଗାକୁ ନେଇ ନିଲାମ କରିବାକୁ ଯୋଜନା କରିଥିଲେ। ଯାହାକୁ ନେଇ ସେବାୟତ ମାନେ ଥାନ ଓ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେସ ନମ୍ବର୍ ଆଇଏ ୧୫୧/୨୦୨୨ ରେ ମାନ୍ୟବର ନିମାପଡ଼ା କୋର୍ଟ ଉକ୍ତ ଜାଗାକୁ ଷ୍ଟାଟସ୍ କୌ ବା ସ୍ଥିତାବସ୍ଥା ଜାରି କରିଥିଲେ। ଯାହା ଫଳରେ କୌଣସି ପକ୍ଷ ଉକ୍ତ ସ୍ଥାନରେ ପାର୍କିଂ ସ୍ଥଳି ଓ ମାର୍କେଟ କମ୍ପ୍ଲେକ୍ସ ବ୍ୟବହାର କି ନିଲାମ କରି ପାରିବେ ନାହିଁ।

ଯାହା ମଧ୍ୟ ଦିର୍ଘ ୪ ବର୍ଷ ହେବ ଜାରି ରହିଥିଲା। ସାଧାରଣ ଲୋକେ ବିନା ପାର୍କିଂ ଫି ରେ ଗାଡ଼ି ରଖି ସୁବିଧା ପାଉଥିଲେ। କିନ୍ତୁ ଗତ ୧୪ ତାରିଖରେ ସରପଞ୍ଚ ମେନକା ବେହେରା ସ୍ୱାକ୍ଷରରେ ନିଲାମ ନୋଟିସ୍ ସଂଖ୍ୟା ୩୭ ରେ ଉକ୍ତ ସ୍ଥାନରେ ଥିବା ପାର୍କିଂ ସ୍ଥଳ ଓ ମାର୍କେଟ କମ୍ପ୍ଲେକ୍ସ କୁ ଆସନ୍ତା ୨୯ ତାରିଖରେ ନିଲାମ ପାଇଁ ନୋଟିସ୍ ଜାରି କରିଛନ୍ତି। ଯାହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ମା ରାମଚଣ୍ଡୀଙ୍କ ସେବାୟତ ସଙ୍ଘ। ଜଣେ ସରପଞ୍ଚ କିପରି କୋର୍ଟ ତଥା ମାନ୍ୟବର ଜଜ୍ ଙ୍କୁ ଅସମ୍ମାନ କରି ବେଖାତିର ଭାବେ ଠାକୁରାଣୀଙ୍କ ଜାଗାକୁ ନିଲାମ କରି ପାରିବେ। ତେଣୁ ଏଥିପ୍ରତି ମାନ୍ୟବର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ଵସ ମନ୍ତ୍ରୀ ସୁରେଶ୍ ପୂଜାରୀ, ଆଇନ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଷ୍ଟି ଦେବାକୁ ସେବାୟତ ସଙ୍ଘ ପକ୍ଷରୁ ପ୍ରକାଶ ପଣ୍ଡା, ସଞ୍ଜୟ ପଣ୍ଡା, ହରେକୃଷ୍ଣ ପଣ୍ଡା , ଦୁର୍ଯ୍ୟୋଧନ ପଣ୍ଡା, ମଦନମୋହନ ମହାପାତ୍ର, ସୁବାସ ନାୟକ ଓ ଗଗନ ନାୟକ ପ୍ରମୁଖ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *