ଈଶ୍ବରାନୁଭୂତି
*ଈଶ୍ବରାନୁଭୂତି* ଅନୁଭୂତି ଅର୍ଥ ଅନୁଭବ କରିବା। ତେଣୁ ଈଶ୍ବରଙ୍କୁ ଅନୁଭବ କରିବା ହିଁ ଈଶ୍ବରାନୁଭୂତି। କେବଳ ବାହ୍ୟ ରୂପରେ ବହି ପଢ଼ି କିମ୍ବା କାହାଠାରୁ ଶ୍ରବଣ କରି ଯେଉଁ ଅନୁଭୂତି ହୁଏ ତାହା ପ୍ରକୃତ ଈଶ୍ବରାନୁଭୂତି ନୁହଁ ବରଂ ଅନ୍ତ8କରଣରେ ବ୍ରହ୍ମାଣ୍ତର ପ୍ରତ୍ୟେକ କୋଣାନୁକୋଣରେ ଈଶ୍ବରଙ୍କୁ ଅନୁଭବ କରିବା ହିଁ ପ୍ରକୃତ ଈଶ୍ବରାନୁଭୂତି। ଏହା କୌଣସି ବୌଦ୍ଧିକ ଜ୍ଞାନ କିମ୍ବା ସାଧାରଣ ଭାବନା ନୁହେଁ ବରଂ ଏହା ଏକ ଗଭୀର ଆନ୍ତରିକ ଚେତନା ଯାହା ଧ୍ଯାନ ଏବଂ ସାଧନା ମାଧ୍ୟମରେ ପ୍ରାପ୍ତ ହୋଇ ଥାଏ। ଏ ବିଷୟରେ ଉପନିଷଦ କହନ୍ତି:-ଯସ୍ମିନ୍ ସର୍ବାନ୍ତଃକରଣ ଭୂତାନ୍ୟା- ତ୍ମୈବାଭୂଦ୍ ବିଜାନତ8 । ତତ୍ର କୋ ମୋହ8 କ8 ଶୋକ ଏକତ୍ୱମନୁପଶ୍ୟତ8 ।। ଈ-୪ ଅର୍ଥାତ୍ ମନୁଷ୍ଯ ଭଗବାନଙ୍କୁ ଭଲ ଭାବରେ ଜାଣି ନେଲେ ତାର ସବୁଠାରେ ଭଗବଦ୍ ଦ୍ଋଷ୍ଟି ହୋଇଯାଏ। ସେ ପ୍ରାଣୀମାନଙ୍କଠାରେ ଏକମାତ୍ର ତତ୍ତ୍ୱ ପରମାତ୍ମାଙ୍କୁ ହିଁ ଦର୍ଶନ କରେ। ତେଣୁ ସେହି ବ୍ୟକ୍ତିର ମୋହ ଶୋକ ଆଦି ବିକାର ରହେ ନାହିଁ। ଲୋକ ଦେଖିବାକୁ ସେ ସବୁ କାର୍ୟ୍ଯ କରେ, କିନ୍ତୁ ପ୍ରକୃତରେ ସେ କର୍ମ ମଧ୍ଯରେ ଈଶ୍ବରଙ୍କୁ ଅନୁଭବ କରି ସବୁବେଳେ ଈଶ୍ବରମନଷ୍କ ହିଁ ଥାଏ। ଏ ପ୍ରସଙ୍ଗରେ ଗୀତାରେ କୁହାଯାଇଛି:-ସର୍ବଭୂତସ୍ଥିତଂ ଯୋ ମାଂ ଭଜତ୍ୟେକତ୍ୱମାସ୍ଥିତ8 । ସର୍ବଥା ବର୍ତ୍ତମାନୋSପି ସ ଯୋଗୀ ମୟି ବର୍ତ୍ତତେ।। ଗୀତା-୬-୩୧ ଅର୍ଥାତ୍ ଯେଉଁ ବ୍ଯକ୍ତି ଏକୀଭାବରେ ସ୍ଥିତ ହୋଇ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମରୂପରେ ସ୍ଥିତ ମୋତେ(ପରମାତ୍ମାଙ୍କୁ) ଭଜନ କରନ୍ତି ସେହି ଯୋଗୀ ସକଳ ପ୍ରକାର କ୍ରିୟାକଳାପ କରୁଥିଲେ ମଧ୍ଯ ସବୁବେଳେ ମୋ ସହିତ ହିଁ ସକଳ କ୍ରିୟା କରୁଥାଆନ୍ତି।।
