ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷୀ ହତାଶ ଧାନ ଫସଲ ପୋଡି ମରୁଡି ସ୍ଥିତି

ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷୀ ହତାଶ ଧାନ ଫସଲ ପୋଡି ମରୁଡି ସ୍ଥିତି ।ସୋରଡ଼ା୦୮/୧୦:ତୀର୍ଥକ୍ଷେତ୍ର (:ଭାଦ୍ରବ ଯାଇ ଆଶ୍ୱିନ ମାସ ହେଲାଣି ତଥାପି ଆକାଶରୁ ବର୍ଷା ଉଭାନ ହୋଇଯାଇଛି।ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ କେଉଁଠି ଧାନଗଛ ପୋଡି ନଷ୍ଟ ହେଲାଣି।ଏଭଳି ମରୁଡି ସ୍ଥିତି ଉପୁଜିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ହୁକୁମା,ଭଗବାନପୁର,ଗେଞ୍ଜା ପଂଚାୟତର ବି. କୋଟିବାଡ଼ି, ପେଟାଗାଡୁ,ଶୁଣ୍ଡି ଡିହପଲ୍ଲୀ,ଝୁଣ୍ଟିଆପଲ୍ଲୀ,ଏନ ବଞ୍ଜର,କୈଳାସପୁର ଭଳି ବହୁ ଗ୍ରାମରେ ବର୍ଷା ଅଭାବରୁ ଧାନ ଗଛ ପୋଡି ନଷ୍ଟ ହୋଇଛି ।ପାଞ୍ଚ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଫସଲ ପୋଡି ନଷ୍ଟ ହୋଇଛି।ପୂର୍ବ ମାସ ଗୁଡିକରେ ସ୍ୱଳ୍ପ କିଛି ବର୍ଷା ହୋଇଥିଲା।ଯାହା ଫଳରେ ଚାଷୀ ହଳ ଲଙ୍ଗଳ ଧରି ଖୁବ ଆଗ୍ରହର ସହ ଚାଷ କାର୍ଯ୍ୟରେ ଲାଗି ପଡ଼ିଥିଲେ।ଧାନରୁଆ କାର୍ଯ୍ୟ ସରିବା ପରେ ଧାନ କେଣ୍ଡା ବାହାରିବା ବେଳକୁ ବର୍ଷାର ଆଉ ଦେଖା ନାହିଁ ।ଯାହାଫଳରେ ଜଳ ଅଭାବରୁ କାଦୁଅ ଜମି ଫାଟି ଆଁ କଲାଣି।ଅନେକ ଜାଗାରେ ଧାନ ଗଛ ଗୁଡିକ ପାଚି ଯାଇଥିବା ବେଳେ ଆଉ କିଛି ଧାନ ଗଛ ପାଣି ଅଭାବରୁ ମରିଯିବା ସ୍ଥିତିରେ ରହିଛି ।ଚାଷୀ ମାନେ ଧାନ ଗଛ ଗୁଡିକୁ କାଟି ନେଇ ଗାଈକୁ ଖାଇବାକୁ ଦେଉଛନ୍ତି।ବର୍ତମାନ ଧାନ ଚାଷ ରେ କ୍ଷତି ସହିଲେ ଆଗକୁ କିଭଳି ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଚାଷୀକୂଳ। ଚାଷ ଜମି କୁ ଜଳ ସେଚନର ସୁବିଧା ନଥିବାରୁ ଏଠାକାର ଚାଷୀ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି।ଉଚିତ ସମୟରେ ସରକାରୀ ସାର ଚାଷୀଙ୍କୁ ଯୋଗାଇ ନଥିବାରୁ ଚଢାଦରରେ ସାର କିଣି ଆଣିଥିଲେ। ଜଣେ ଜଣେ ଚାଷୀ ନିଜ ଚାଷ କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କିଏ ସୋସାଇଟି ରୁ ଋଣ ଆଣିଛି ତ ଆଉ କିଏ ଧାର କରଜ କରି ଚାଷ କାର୍ଯ୍ୟ କରିଥିଲେ।ମରୁଡି ସ୍ଥିତି ଦେଖିବା ପରେ ଚାଷୀ କୁଳ ମନରେ ଛନକା ପଶିଛି।କାଁହୁଚରଣ ପାଣିଗ୍ରାହୀ, ଶିବପ୍ରସାଦ ପାଣିଗ୍ରାହୀ, ଭିକାରି ଚରଣ ସାବତଙ୍କ ଭଳି ବହୁ ଚାଷୀ କହିଛନ୍ତି ସରକାର ଚାଷୀଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରୁଡି ସ୍ଥିତି ଅନୁଧ୍ୟାନ କରି ଖୁବଶୀଘ୍ର ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦିଅନ୍ତୁ।କ୍ଷତି ପୂରଣ ନମିଳିଲେ ଆଗକୁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *