ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର ତା-୧୫.୦୪. ୨୦୨୬ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ଏଥି ସହିତ ପ୍ରଶିକ୍ଷଣ ନେଉଥିବା ୨୦୨୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍ ପ୍ରୋବେଶନରମାନେ ମଧ୍ୟ ଅଭିଜ୍ଞତା ଅର୍ଜନ ପାଇଁ ବୈଠକରେ ଯୋଗଦେଇଥିଲେ । ବୈଠକରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥାପନା ରଖିଥିଲେ । ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ମାର୍ଚ୍ଚ ମାସରେ ବିଭିନ୍ନ ବିଭାଗର ଉଲ୍କେଖନୀୟ କାର୍ଯ୍ୟ ଓ ପ୍ରମୁଖ ପଦକ୍ଷେପଗୁଡ଼ିକ ସଂପର୍କରେ ଉଲ୍ଲେଖ କରିଥିଲେ । ଇଣ୍ଡିଆ ସ୍କିଲ୍ସ-୨୦୨୫-୨୬ ପ୍ରତିଯୋଗିତାରେ ଓଡ଼ିଶାର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦକ୍ଷତା ବିକାଶ ବିଭାଗର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରର “ଗଣତି-ମଣତି” କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସଂପୃକ୍ତ ସମସ୍ତଙ୍କୁ ପ୍ରଶଂସା କରାଯାଇଥିଲା । ଏଥି ସହ “ଆମେ ଜାଣିବା ଆମ ବଜେଟ୍” କାର୍ଯ୍ୟକ୍ରମରେ ବଜେଟ୍ ସଂପର୍କିତ ସୂଚନାର ପ୍ରଚାର ପ୍ରସାର ଓ ଏ ସଂପର୍କରେ ଆଗକୁ କାର୍ଯ୍ୟକ୍ରମ ଜାରି ରହିବା ନେଇ ଆଲୋଚନା କରାଯାଇଥିଲା । ଅର୍ଥ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରୟାସକୁ ଏଥିପାଇଁ ପ୍ରଶଂସା କରାଯାଇଥିଲା । ଆଇ-ଗଟ୍ କର୍ମଯୋଗୀ ଭାରତ ପ୍ଲାଟଫର୍ମରେ “ସାଧନା ସପ୍ତାହ” ବିଶେଷ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅଧିକାରୀ ଓ କର୍ମଚାରୀମାନେ ଏହି ବ୍ୟବସ୍ଥାକୁ ଆସି ପ୍ରଶିକ୍ଷଣ ନେବା(ଅନ୍ ବୋର୍ଡିଂ) ୯୫ ପ୍ରତିଶତରୁ ୯୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବ୍ୟବସ୍ଥାରେ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢ଼ିଥିବାରୁ ମୁଖ୍ୟ ସଚିବ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରୟାସକୁ ପ୍ରଶଂସା କରିଥିଲେ। “ଓଡ଼ିଆ ପକ୍ଷ ” ରାଜ୍ୟବ୍ୟାପୀ ଭାବେ ବ୍ୟାପକ ଭାବେ ପାଳନ କରାଯାଇଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସଂପୃକ୍ତ ଅନ୍ୟ ସମସ୍ତ ବିଭାଗର ସହଯୋଗକୁ ପ୍ରଶଂସା କରାଯାଇଥିଲା ।

ବୈଠକରେ ଆଗାମୀ ଦିନରେ “ଉପଲବ୍ଧି ପୋର୍ଟାଲ” କାର୍ଯ୍ୟକାରୀ ହେବା ନେଇ ସିଏମଜିଆଇ ତରଫରୁ ଡିଜାଇନ୍ ଉପସ୍ଥାପିତ ହୋଇଥିଲା । ଏହି ପୋର୍ଟାଲରେ ବିଭିନ୍ନ ବିଭାଗର ପ୍ରତିମାସରେ ଉଲ୍ଲେଖନୀୟ କାର୍ଯ୍ୟ, ପ୍ରଗତି ଓ ସଫଳତା ଅପଲୋଡ୍ କରାଯିବ ଏବଂ ବିଭାଗମାନଙ୍କ ସମେତ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ମଧ୍ୟ ତାହା ଅନୁଧ୍ୟାନ କରାଯିବା ସହଜ ହୋଇପାରିବ । ଅର୍ଥ ବିଭାଗ ତରଫରୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର ଯୋଗଦେଇ ରାଜ୍ୟ ମାନଙ୍କୁ ପୁଞ୍ଜି ନିବେଶ ପାଇଁ ସହାୟତା ପ୍ରଦାନ କରୁଥିବା କେନ୍ଦ୍ରୀୟ ଅନୁଦାନ(ଏସଏଏସସିଆଇ) ର ଉପଯୋଗ ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା । ଏହା ସହ ପୂର୍ତ୍ତ ବିଭିଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୂର୍ତ୍ତ ବିଭାଗର ୨୫ଟି ପ୍ରମୁଖ ପ୍ରକଳ୍ପ ଓ ପଦକ୍ଷେପ ବିଷୟରେ ବିସ୍ତୃତ ଉପସ୍ଥାପନା କରିଥିଲେ । ରାଜ୍ୟରେ ସଡକ ନେଟୱର୍କର ଉନ୍ନତି ପାଇଁ ରହିଥିବା ଦୀର୍ଘସୂତ୍ରୀ ଯୋଜନା ବିଷୟରେ ସେ ଉପସ୍ଥାପନା କରିଥିଲେ । ଏହା ରାଜ୍ୟର ଗମନା ଗମନ ସହ ପର୍ଯ୍ୟଟନ ସୁଯୋଗକୁ ବ୍ୟାପକ କରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ପ୍ରତି ଜିଲ୍ଲାରେ ୨୫ଟି ଜିଲ୍ଲାସ୍ତରୀୟ ପ୍ରମୁଖ ପଦକ୍ଷେପ ପ୍ରସ୍ତୁତି ସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ “ବିକଶିତ ଓଡ଼ିଶା” ସହ ସମନ୍ୱୟ କରି ଏକ ଉପସ୍ଥାପନା ରଖିଥିଲେ । “କୋରାପୁଟ ସ୍ପାର୍କ୍ସ ଏକ୍ସ” ଉପରେ ଉପସ୍ଥାପନା କରି ସେ ଅଭିନବତ୍ୱ ପ୍ରତିପାଦନ, ପ୍ରତିଷ୍ଠାନଗତ ଉନ୍ନତି ଓ ଜିଲ୍ଲାର ସ୍ଥାୟୀ ବିକାଶ ସଂପର୍କରେ ସେ ଆଲୋକପାତ କରିଥିଲେ । ଜିଲ୍ଲାର ଜୀବିକା ନିର୍ବାହ , କୃଷି ଓ ପ୍ରାଣୀପାଳନ, ମସଲା, ମତ୍ସ୍ୟଚାଷ, ଫୁଲ ହବ୍, ବୟନ ଶିଳ୍ପ, ବିମାନ ବନ୍ଦରର ବିକାଶ, ମେଗା ପାନୀୟ ଜଳ ପ୍ରକଳ୍ପ, ପର୍ଯ୍ୟଟନ, ସେତୁ ଓ ସଡକ ନିର୍ମାଣ ଭଳି କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିବା ସହ “ପରବ” ଲୋକପର୍ବ ମାଧ୍ୟମରେ କୋରାପୁଟ ଜିଲ୍ଲାର ବିକାଶକୁ ଉଲ୍ଲେଖ କରାଯାଇଥିଲା । ଜିଲ୍ଲାରେ ଶିଳ୍ପର ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *