ବିଦେଶୀ ମଦ ଜବତ, ୨ ଗିରଫ

ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତା ଗୁପ୍ତେଶ୍ଵର ଶିବ ମନ୍ଦିର ନିକଟରେ ଏକ ମଦ ଭର୍ତ୍ତି କାର୍ କୁ ଜବତ କରିବାରେ ସଫଳ ହୋଇଛି ଦିଗପହଣ୍ଡି ଥାନା ପୋଲିସ୍। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଗୁରୁବାର ପୋଲିସ୍ ର ଯାଞ୍ଚ ବେଳେ ଏକ କ୍ରେଟା କାର୍ ନଂ (ଓଡ଼ି୩୩ ଏକେ-୮୬୯୩)ରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା। ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଗାଡି ଗୁଡିକ ଯାଞ୍ଚ କରାଯିବା ବେଳେ ଦିଗପହଣ୍ଡି ରୁ ଚିକିଟି ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏହି କାର୍ କୁ ପୋଲିସ୍ ଅଟକାଇବାରେ ସଫଳ ହୋଇଥିଲା। ତେବେ ଯାଞ୍ଚ ସମୟରେ କାର୍ ରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡିଛି। ପୋଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଯାଞ୍ଚ ବେଳେ କାର୍ ଚାଳକଙ୍କ ସମେତ ଅନ୍ୟ ଜଣେ ସହଯୋଗୀ ଖସିଯିବାକୁ ଉଦ୍ୟମ କରିଥିଲେ। ପୋଲିସ୍ ଉଭୟଙ୍କୁ ଅଟକାଇ ତଲାସି କରିବା ବେଳେ ୧୮ ପେଟି ବିଦେଶୀ ମଦ କାର୍ ରୁ ମିଳିଥିଲା। ଗିରଫ ଦୁଇ ଯୁବକ ହେଲେ କେ ନୂଆଁ ଗାଁ ଅନ୍ତର୍ଗତ ଦେଓଖାଳି ଗ୍ରାମର ଆକାଶ ପ୍ରଧାନ(୨୦) ଏବଂ ମୁନା ପ୍ରଧାନ(୨୭)। ପୋଲିସ୍ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିବା ଜଣାପଡ଼ିଛି। ଜବତ ବିଦେଶୀ ମଦ ର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *