ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ହିଁ ଭାରତବର୍ଷର ପ୍ରଥମ ଏକତ୍ବର ବାର୍ତ୍ତାବହ

କୋଣାର୍କ ୧୧/୦୫- କୋଣାର୍କ ନିକଟସ୍ଥ ବନାଖଣ୍ଡି ଠାରେଥିବା କିଙ୍ଗ କୋ କୋ ସମ୍ମେଳନ କକ୍ଷରେ କୋଣାର୍କ ଜ୍ଞାନ ମଂଚ ପକ୍ଷରୁ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ଏକତ୍ବର ବାର୍ତ୍ତାବହ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତ ବର୍ଷର ବିଭିନ୍ନ ତତ୍ତ୍ବବାଦର ମୂଳଦର୍ଶନ ଏକ ଓ ଅଭିନ୍ନ ବୋଲି ଦର୍ଶାଇ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ଅଦୈତ୍ୟବାଦର ପ୍ରଚଳନ କରିଥିଲେ। ଗଣପତ୍ୟ, ଶୈବ, ଶାକ୍ତ, ସୌର ଓ ବୈଷ୍ଣବ ମତ ମଧ୍ୟରେ ଐକ୍ୟ ସ୍ଥାପନ ପାଇଁ ସେ ହିଁ ପ୍ରଥମେ ଗଣେଶ, ଶିବ, ଦୁର୍ଗା, ସୂର୍ଯ୍ୟ ଓ ବିଷ୍ଣୁ ଆଦି ପଂଚ ଦେବତାଙ୍କ ଏକତ୍ର ପୂଜାର ପ୍ରଚଳନ କରିଥିଲେ। ସାମାଜିକ କ୍ଷେତ୍ରରେ ଏହି ଐକ୍ୟ ପ୍ରତିଷ୍ଠା ପାଇଁ ସେ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଚାରିଗୋଟି ମଠର ସ୍ଥାପନା କରିଥିଲେ। କୋଣାର୍କ ଜ୍ଞାନ ମଂଚ ଓ ଭୁବନେଶ୍ୱର ସ୍ଥିତ ଜହ୍ନରାତି ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ଏହି ତଥ୍ୟର ଉପସ୍ଥାପନ କରିଥିଲେ। ଭାରତୀୟ ଦାର୍ଶନିକ ଅନୁସନ୍ଧାନ ପରିଷଦର ସିନିୟର ଫେଲୋ ପ୍ରଧ୍ଯାପକ ହର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ବେଦାନ୍ତର ପ୍ରଫେସର ଡକ୍ଟର ପ୍ରଭାତ ରଞ୍ଜନ ମହାପାତ୍ର, ପ୍ରଫେସର ଜଗବନ୍ଧୁ ମିଶ୍ର ପ୍ରମୁଖ ବକ୍ତା ମାନେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଡଃ ମିନତୀ ମିଶ୍ର ଶଙ୍କରାଚାର୍ଯ୍ୟଙ୍କ ରଚିତ ସୌନ୍ଦର୍ଯ୍ୟ ଲହରୀ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଡକ୍ଟର ସୌଭାଗ୍ୟ ମିଶ୍ର ଓ ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡା ଯୋଗଦେଇ ଥିବା ବେଳେ ପ୍ରଧ୍ଯାପକ ଆଦିକନ୍ଦ ସାହୁ, କବୟିତ୍ରୀ ମମତା ମିଶ୍ର, ଭିଜାମାଟି ସଂପାଦକ ଚିନ୍ମୟୀ ଷଡଙ୍ଗୀ, ସାହିତ୍ୟିକ ଅରୁଣ ସାହୁ, ବାନରସେନା ସଂପାଦକ ପ୍ରକାଶ ଚନ୍ଦ୍ର ଖଟୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ପକ୍ଷରୁ ହରିଶ୍ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ବରାଳ, ଲିଙ୍ଗରାଜ ନାୟକ, କାମଦେବ ବିଶ୍ବାଳ, ଚିତ୍ତରଞ୍ଜନ ବିଶ୍ବାଳ ଓ ପ୍ରତାପ ରାଉତ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *