ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ ଅନୁଷ୍ଠିତ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷା ସବ୍ କମିଟିର ଅଧ୍ୟକ୍ଷ ଡ଼ଃ ଗିରିଶ ମୁର୍ମୁ ବୈଠକରେ ଅଧ୍ୟକ୍ଷତା କରିଥିଲେ | ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଶେଷ କରି ଆଗାମୀ ଦିନରେ କିଭଳି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ବ୍ୟବସ୍ଥିତ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ଚାରି ଦ୍ବାରରେ ବ୍ୟାଗେଜ୍ ସ୍କାନର ମେସିନ୍ ଲଗାଯିବା ପାଇଁ ନିଷ୍ପତ୍ତି ହୋଇସାରିଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ। ଏନେଇ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ସେପଟେ ଶ୍ରୀମନ୍ଦିରକୁ ଡ୍ରୋନ୍ ଆକ୍ରମଣରୁ ରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ କାର୍ଯ୍ୟକାରୀ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ପୁଲିସ ବିଭାଗ ପକ୍ଷରୁ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପାଇଁ ବରାଦ ଦିଆଯାଇଥିବାବେଳେ ଏହା ଆସିବା ପରେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ | ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରତ୍ୟେକ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁଁ ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଅଗ୍ନିକାଣ୍ଡ ଘଟଣାକୁ ରୋକିବା ପାଇଁ ଫାୟାର ଫାଇଟିଙ୍ଗ ବ୍ୟବସ୍ଥା ମଧ୍ୟ କିଭଳି କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟିର ଅଧ୍ୟକ୍ଷ ଡକ୍ଟର ଗିରିଶ ଚନ୍ଦ୍ର ମୁର୍ମୁ ବୈଠକ ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀମନ୍ଦିର ଭିତରେ ଏବଂ ଚାରି ଦ୍ବାରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।

Leave a Reply

Your email address will not be published. Required fields are marked *