ସ୍ୱଚ୍ଛତାର ମାନଚିତ୍ରରେ ଦେଶକୁ ନୂଆ ବାର୍ତ୍ତା ଦେଲା ଶ୍ରୀକ୍ଷେତ୍ର ପୁରୀ।
ସ୍ୱଚ୍ଛତାର ମାନଚିତ୍ରରେ ଦେଶକୁ ନୂଆ ବାର୍ତ୍ତା ଦେଲା ଶ୍ରୀକ୍ଷେତ୍ର ପୁରୀ। ସମୁଦ୍ରକୂଳର ସୌନ୍ଦର୍ଯ୍ୟ ସହ ସ୍ୱଚ୍ଛତାକୁ ନେଇ ହାସଲ କରିଛି ଜାତୀୟ ଗୌରବ। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଦେଶର ଏକ ନମ୍ବର ସ୍ୱଚ୍ଛ ଉପକୂଳ ସହର ଭାବେ ପୁରୀକୁ ମିଳିଛି ପ୍ରଥମ ପୁରସ୍କାର। ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏହି ବର୍ଗରେ ଓଡ଼ିଶାର ପୁରୀ ପ୍ରଥମ ସ୍ଥାନରେ ଥିବାବେଳେ ଏହି ସଫଳତା ପଛରେ ରହିଛି ସ୍ୱଚ୍ଛତା ପ୍ରତି ସାମୂହିକ ଦାୟିତ୍ୱବୋଧ। ସହରର ସଫେଇ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ସହଭାଗିତା ଭଳି ଦିଗକୁ ନେଇ ହୋଇଥାଏ ସ୍ୱଚ୍ଛତାର ମୂଲ୍ୟାଙ୍କନ। ତେବେ ପୁରୀ ସହର ସମେତ ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବା ପ୍ରଶାସନ ପାଇଁ ବଡ ଆହ୍ୱାନ ପାଲଟିଥିବା ବେଳେ ଏହି ଜାତୀୟ ସମ୍ମାନ ପୁରୀର ସ୍ୱଚ୍ଛତା ଅଭିଯାନକୁ ନୂଆ ପରିଚୟ ଦେଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପୁଣି ଜାତୀୟ ସ୍ତରରେ ଚମକିଲା ଶ୍ରୀକ୍ଷେତ୍ର ପୁରୀ। ସ୍ୱଚ୍ଛତା କ୍ଷେତ୍ରରେ ହାସଲ କଲା ବଡ଼ ସଫଳତା। ଦେଶର ସବୁଠାରୁ ସ୍ୱଚ୍ଛ ଉପକୂଳ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି ପୁରୀ।ସେପଟେ ସ୍ୱର୍ଣ୍ନାଭ ବେଳାଭୂମିରେ ମଜା ଉଠାଇବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀକୁ ପ୍ରତିଦିନ ହଜାରହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ। ଏଭଳି ସ୍ଥିତିରେ ସ୍ୱଚ୍ଛତା ହିଁ ପର୍ଯ୍ୟଟକଙ୍କୁ ବେଶି ଆକର୍ଷଣୀୟ କରିଥାଏ। ତେବେ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର,,,ସ୍ୱର୍ଗଦ୍ବାର ଠାରୁ ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବାକୁ ପୁରୀ ମହାନଗର ନିଗମ ତରଫରୁ ନିୟୋଜିତ ସଫେଇ କର୍ମଚାରୀ ମାନେ ଅହରାତ୍ର ପରିଶ୍ରମ କରୁଥିବା ବେଳେ ସ୍ୱଚ୍ଛ ଉପକୂଳ ସହର ଭାବରେ ପୁରୀ ଏକ ନମ୍ବର ସ୍ଥାନ ଅଧିକାର କରିଥିବାରୁ ସଫେଇ କର୍ମଚାରୀ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି। ଅନ୍ୟପଟେ ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ସହର ସମେତ ସମୁଦ୍ରକୂଳର ସ୍ୱଚ୍ଛତାକୁ ଦେଖି ଖୁସି ପ୍ରକଟ କରିଥିବା ବେଳେ ସ୍ୱଚ୍ଛତା ରହିଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ସହ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ ହେବବୋଲି କହିଛନ୍ତି ହୋଟେଲିୟର୍ସ।
ପୁରୀକୁ ସ୍ୱଚ୍ଛ ଉପକୂଳ ସହର ଭାବରେ ଦେଶର ଏକ ନମ୍ବର ପୁରଷ୍କାର ମିଳିଥିବା ବେଳେ ଏହାକୁ ବଜାୟ ରଖିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ।
