ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟ୍ୟାକ୍ସଫୋର୍ସ କମିଟି ବୈଠକ

ସୁନ୍ଦରଗଡ଼ ୭/୭, ଜିଲ୍ଲାରେ ପ୍ରାକ୍ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଅଧ୍ଯକ୍ଷତା କରିଥିଲେ । ବୈଠକରେ ଜିଲ୍ଲାରେ ଥ‌ିବା ଅଲଟ୍ରାସାଉଣ୍ଡ କ୍ଲିନିକଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା, ପଞ୍ଜିକରଣ ତଥା ନବୀକରଣ ଏବଂ ଆକସ୍ମିକ ନିରୀକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡାକ୍ତର ମହାପାତ୍ର ଜଣାଇଥିଲେ ଯେ,ଜିଲ୍ଲାପାଳଙ୍କ ଦ୍ବାରା ଏକ ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଦଳ ଗଠନ କରାଯାଇଛି। ଏହି ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଦଳ ଜିଲ୍ଲାରେ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡିକର ଆକସ୍ମିକ ନିରୀକ୍ଷଣ ନିୟମିତ ଭାବରେ କରିବେ। ଯଦି ଏହି ଦଳ କୌଣସି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରରେ କିଛି ବି ତ୍ରୁଟି ବିଚ୍ୟୁତି ଦେଖିବେ ତେବେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ଜିଲ୍ଲାରେ କନ୍ୟା ସନ୍ଧାନ ଅନୁପାତ ଉପରେ ଆଲୋଚନା କରାଯାଇଥିଲା। କନ୍ୟା ସନ୍ତାନ ଅନୁପାତ ବୃଦ୍ଧି ଲାଗି ତୃଣମୂଳ ସୁରରେ ଜିଲ୍ଲା ଭିତ୍ତିକ ଉପାୟ ଅବଲମ୍ବନ କରି ଜନ ସଚେତନତା କରିବା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଆଦେଶ ଦେଇଥିଲେ | ଜିଲ୍ଲାରେ ସବୁ ସ୍ତରରେ ବେଆଇନ ଲିଙ୍ଗ ନିରୂପଣ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବାର ସୂଚନା ଜିଲ୍ଲାପାଳ ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ ଯଦି ଏହିପରି କିଛି ସୂଚନା ମିଳେ ତେବେ ବେଆଇନି ଲିଙ୍ଗ ନିରୂପଣ କରୁଥିବା ବ୍ୟକ୍ତି ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼କ୍ଟର ସୁରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପ୍ରସାଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରଞ୍ଜୁ ରାଣୀ ଦାସ, ଡା ଅମର କୁମାର ଦାସ, ଡା ସୁବାସିନୀ ପାଣ୍ଡେ, ସମାଜ ସେବୀ ସ୍ନେହଲତା ପଟେଲ, ଅମୀୟକାନ୍ତ ନାୟକ, ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଶ୍ବମ୍ବର ବେହେରା ଏବଂ ସହ ସଂଯୋଜକ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *