ବେଆଇନ ସିଲିଣ୍ଡର ଠୁଳ ଅଭିଯୋଗରେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ୨୫ଶହରୁ ଅଧିକ ସ୍ଥାନରେ ଚଢ଼ାଉ
ଦେଶରେ ସ୍ଥିର ରହିଛି ଏଲପିଜି ଯୋଗାଣ l ବେଆଇନ ସିଲିଣ୍ଡର ଠୁଳ ଅଭିଯୋଗରେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ୨୫ଶହରୁ ଅଧିକ ସ୍ଥାନରେ ଚଢ଼ାଉ ସହ ୪ ହଜାରରୁ ଅଧିକ ସିଲିଣ୍ଡର ଜବତଭୁବନେଶ୍ୱର, ୧୬ ଏପ୍ରିଲଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ସୁଗମ ଯୋଗାଣ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭାଗ ବର୍ତ୍ତମାନ ସୁଦ୍ଧା ୨୫୦୩ଟି ସ୍ଥାନରେ ଚଢ଼ାଉ କରିଛି । ଏହି ଚଢ଼ାଉରେ ବେଆଇନ ଭାବେ ଠୁଳ କରାଯାଇଥିବା ୪୯୯୨ଟି ସିଲିଣ୍ଡର ଜବତ କରାଯାଇଛି ଏବଂ ୩୧ଟି ମାମଲା ଦାଏର ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ୩୮୪ଟି ମାମଲା ରୁଜୁ କରାଯାଇଛି । ବେଆଇନ ସିଲିଣ୍ଡର ମହଜୁଦ କରିବା ସହିତ ବିକ୍ରି ଅଭିଯୋଗରେ ୫ ଜଣ ଗିରଫ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସାମ୍ପ୍ରତିକ ଭୂରାଜନୈତିକ ଘଟଣାକ୍ରମ ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରିବା ସତ୍ତ୍ୱେ ଭାରତର ଏଲପିଜି ଯୋଗାଣ ସ୍ଥିର ରହିଥିବା ସରକାର ସୂଚନା ଦେଇଛନ୍ତି । ବିଶେଷ କରି ଘରୋଇ ଏଲପିଜି ଉପଭୋକ୍ତାମାନଙ୍କୁ ସ୍ୱାଭାବିକ ଗ୍ୟାସ ବିତରଣ କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ସିଲିଣ୍ଡର ରିଫିଲ୍ ବୁକିଂ ଲାଗି ଉପଭୋକ୍ତାମାନଙ୍କୁ ଏସଏମଏସ ଓ ଆଇଭିଆରଏସ ଭଳି ଡିଜିଟାଲ ପଦ୍ଧତି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ଆତଙ୍କିତ ହୋଇ ବୁକିଂ କରିବା କିମ୍ବା ଅଯଥାରେ ଗଚ୍ଛିତ କରିବା, ଗୁଜବକୁ ବିଶ୍ୱାସ ନ କରିବା ତଥା କେବଳ ସରକାରୀ ସୂଚନା ଉତ୍ସକୁ ଅନୁସରଣ କରିବାକୁ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଛି ।
