ଭଦ୍ରକରେ ଲଗାଣ ବର୍ଷାର ପ୍ରଭାବ: ଧାମନଗରରେ ସର୍ବାଧିକ ୧୫୫ ମି.ମି. ବର୍ଷା,

ଭଦ୍ରକରେ ଲଗାଣ ବର୍ଷାର ପ୍ରଭାବ: ଧାମନଗରରେ ସର୍ବାଧିକ ୧୫୫ ମି.ମି. ବର୍ଷା, ପ୍ରଶାସନ ସତର୍କଭଦ୍ରକ, ୨୮ ଜୁଲାଇ: ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଉପରେ ଏହାର ପ୍ରଭାବ ସ୍ପଷ୍ଟ ଭାବେ ପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୦୪.୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଫଳରେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ସହ ନିମ୍ନାଞ୍ଚଳରେ ପାଣି ଜମି ରହିଛି। କିଛି ସ୍ଥାନରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବର୍ଷା ପରିସଂଖ୍ୟାନ ଅନୁଯାୟୀ, ଧାମନଗର ବ୍ଲକରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପରେ ଭଦ୍ରକ ସଦରରେ ୧୪୮ ମିଲିମିଟର, ତିହିଡ଼ିରେ ୧୧୩ ମିଲିମିଟର, ଭଣ୍ଡାରିପୋଖରୀରେ ୧୦୮ ମିଲିମିଟର, ବନ୍ତ ବ୍ଲକରେ ୧୦୫ ମିଲିମିଟର, ଚାନ୍ଦବାଲିରେ ୬୨.୪ ମିଲିମିଟର ଏବଂ ବାସୁଦେବପୁରରେ ୪୧ ମିଲିମିଟର ବର୍ଷା ହୋଇଛି।ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଡ୍ରେନ୍‌, ନାଳ ଓ ଜଳାଶୟର ଜଳସ୍ତର ବୃଦ୍ଧି ପାଇଥିବା ବେଳେ କିଛି ନିମ୍ନାଞ୍ଚଳରେ ବର୍ଷା ପାଣି ଜମି ରହିଛି। ସହର ଏବଂ ଗ୍ରାମାଞ୍ଚଳର ଅନେକ ରାସ୍ତାରେ ପାଣି ଜମିଥିବାରୁ ଯାତାୟାତ ବ୍ୟବସ୍ଥା ଆଂଶିକ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଜାରି ରହିଲେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ସମସ୍ତ ବ୍ଲକ ପ୍ରଶାସନ, ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ବିଦ୍ୟୁତ, ଜଳସମ୍ପଦ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।ଜିଲ୍ଲା ପ୍ରଶାସନ ନିମ୍ନାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବା, ଅନାବଶ୍ୟକ ଘରୁ ବାହାରକୁ ନ ଯିବା ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନାକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛି। ବିଶେଷକରି ନଦୀକୂଳ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *