କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

ଭୁବନେଶ୍ୱର, ୩ ଜୁଲାଇ, ୨୦୨୬:ପୂର୍ବ ତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ମଣ୍ଡଳ ଅଧୀନରେ ଥିବା ଜଗଦଲପୁର-କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ରେଳ ଲାଇନର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (ସି.ଆର.ଏସ.) ଶ୍ରୀ ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ୨ ଜୁଲାଇ, ୨୦୨୬ରେ ସମ୍ପନ୍ନ ହୋଇଛି ।ଏହି ନିରୀକ୍ଷଣ କମଲୁର ଏବଂ ଭାଂସି ମଧ୍ୟରେ ଥିବା ୧୨.୪୨୮ କିଲୋମିଟର ବିଶିଷ୍ଟ ରେଳ ସେକ୍ସନକୁ ଅନ୍ତର୍ଭୁକ୍ତ କରିଥିଲା ଏବଂ ନବଗଠିତ ରାୟଗଡ଼ା ମଣ୍ଡଳରେ ଏକ ଦୋହରୀକରଣ ପ୍ରକଳ୍ପ ପାଇଁ ଏହା ପ୍ରଥମ ସି.ଆର.ଏସ. ଅନୁଧ୍ୟାନ ଥିଲା। ସଫଳ ଅନୁଧ୍ୟାନ ଏବଂ ସ୍ପିଡ୍ ଟ୍ରାଏଲ୍ (ଗତି ପରୀକ୍ଷଣ) ପରେ ଏହି ସେକ୍ସନକୁ ଟ୍ରେନ୍ ଚଳାଚଳ ପାଇଁ ଉପଯୁକ୍ତ ବୋଲି ଘୋଷଣା କରାଯାଇଛି।ଏହି ଅନୁଧ୍ୟାନ ପୂର୍ବରୁ, ୨୬ ଜୁନ୍, ୨୦୨୬ରେ ପ୍ରି-ନନ୍-ଇଣ୍ଟରଲକିଂ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨ ଜୁଲାଇ, ୨୦୨୬ରେ ଦୋହରୀକରଣ କାର୍ଯ୍ୟ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିଲା। ଅନୁଧ୍ୟାନ ସମୟରେ, ସମସ୍ତ ସୁରକ୍ଷା ମାନଦଣ୍ଡର ଅନୁପାଳନ ନିଶ୍ଚିତ କରିବା ପାଇଁ ସି.ଆର.ଏସ. ରେଳ ଧାରଣା, ସିଗ୍ନାଲିଂ ବ୍ୟବସ୍ଥା, ଓଭରହେଡ୍ ଉପକରଣ (ଓ.ଏଚ୍.ଇ.), ବ୍ରିଜ୍, ଲେଭଲ୍ କ୍ରସିଂ ଏବଂ ଅନ୍ୟାନ୍ୟ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକର ବିସ୍ତୃତ ଯାଞ୍ଚ କରିଥିଲେ।କମଲୁର-ଭାଂସି ସେକ୍ସନଟି ଜଗଦଲପୁର-କିରନ୍ଦୁଲ ରୁଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହା ଦୁର୍ଗମ ଭୁ ଭାଗ ମଧ୍ୟ ଦେଇ ଗତି କରିଥାଏ।

ନବନିର୍ମିତ ଦ୍ୱିତୀୟ ଲାଇନକୁ ଆଧୁନିକ ଇଞ୍ଜିନିୟରିଂ ପଦ୍ଧତି ବ୍ୟବହାର କରି ବିକଶିତ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ସୁରକ୍ଷା, ବିଶ୍ୱସନୀୟତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା।ଏହି ଦୋହରୀକରଣ ସେକ୍ସନ କାର୍ଯ୍ୟକ୍ଷମ ହେବା ଫଳରେ ଖଣିଜ ସମୃଦ୍ଧ ଜଗଦଲପୁର-କିରନ୍ଦୁଲ କରିଡରରେ ଲାଇନ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ, ଯାହା ମାଲବାହୀ ଟ୍ରେନ୍, ବିଶେଷ କରି ଲୁହାପଥର ପରିବହନର ସୁଗମ ଚଳାଚଳରେ ସହାୟକ ହେବ ଏବଂ ବିଦ୍ୟମାନ ଲାଇନ ଉପରେ ଭିଡ଼ ହ୍ରାସ କରିବ। ଏହା ମଧ୍ୟ ଆଞ୍ଚଳିକ ଯାତ୍ରୀବାହୀ ଟ୍ରେନ ସେବାର ସମୟାନୁବର୍ତ୍ତିତା ଏବଂ ଉତ୍ତମ କାର୍ଯ୍ୟଦକ୍ଷତା ଦିଗରେ ଅବଦାନ ଦେବ।କମଲୁର-ଭାଂସି ଦୋହରୀକରଣ ସେକ୍ସନର ଏହି କାର୍ଯ୍ୟକ୍ଷମତା, ରେଳ ଭିତ୍ତିଭୂମିକୁ ମଜବୁତ କରିବା, ମାଲ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସମଗ୍ର ଅଞ୍ଚଳରେ ସୁରକ୍ଷିତ, ଦକ୍ଷ ତଥା ବିଶ୍ୱସନୀୟ ରେଳ ସେବା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥର ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି।ଏହି ଅନୁଧ୍ୟାନ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟ, ରାୟଗଡ଼ା ମଣ୍ଡଳ ଏବଂ ନିର୍ମାଣ ସଂଗଠନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *