ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚତୁର୍ଥ ଦିବସର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚତୁର୍ଥ ଦିବସର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗଣତି ମଣତି କାର୍ଯ୍ୟ ହୋଇଥିଲା। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ୧୯୭୮ ମସିହାର ତାଲିକା ସହ ଭିତର ରତ୍ନଭଣ୍ଡାରର ଗଣତି ମଣତି ମେଳକ ସମ୍ପୂର୍ଣ୍ଣ ଶତପ୍ରତିଶତ ହୋଇଛି। ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ବଣିଆ ସେବକ ଏବଂ ରତ୍ନ ବିଶାରଦଙ୍କ ଦ୍ବାରା ଚିହ୍ନଟ କରାଯାଉଛି। ରତ୍ନ ପଥର ଗୁଡିକ ଚିହ୍ନଟ ପାଇଁ ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉଛି। ପ୍ରତ୍ୟେକ ରତ୍ନ ଅଳଙ୍କାରର ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରୀଡି ସ୍କାନିଙ୍ଗ କରାଯାଇ କ୍ୟାଟଲକ ମଧ୍ୟ କରାଯାଉଛି। ୧୯୭୮ ମସିହାରେ ଗଣତି ମଣତି ହୋଇଥିବା ବେଳେ ପ୍ରତ୍ୟେକ ରତ୍ନ ଅଳଙ୍କାରର ନମ୍ବରିଙ୍ଗ ହୋଇଥିଲା। ଯାହା ଫଳରେ ମେଳକ କରିବାରେ ବହୁତ ସହଜ ହେଉଛି । ତେବେ ୧୯୭୮ ମସିହାରେ କିଛି ରତ୍ନ ପଥର ଚିହ୍ନଟ ହୋଇପାରିନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ୨୦୨୬ ଗଣତି ମଣତି ବେଳେ ପ୍ରତ୍ୟେକ ରତ୍ନ ପଥରକୁ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଚିହ୍ନଟ କରାଯାଇଛି। ଏଣୁ ରତ୍ନ ପଥରକୁ ଚିହ୍ନଟ ନେଇ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟା ହୋଇନାହିଁ। ଆଗକୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଥିବାରୁ ନୀତି ବହୁଳତା ପାଇଁ ଗଣତି ମଣତି କାର୍ଯ୍ୟ ସମ୍ଭବ ହେବ ନାହିଁ। ତେଣୁ ଭିତର ଚନ୍ଦନଯାତ୍ରା ସମୟରେ ସମୟ ବାହାର କରାଯାଇ ଗଣତି ମଣତି କାର୍ଯ୍ୟ କରାଯିବ। ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ମୋଟ ୯ ଦିନରେ ୫୭ ଘଣ୍ଟା ୮ ମିନିଟ୍ ସମୟ ଲାଗିଛି। ପ୍ରତ୍ୟେକ ରତ୍ନ ଅଳଙ୍କାର କୁ ମୁଣିରେ ଭର୍ତ୍ତି କରି ରଖାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ତିନୋଟି ସିନ୍ଦୁକରେ ରତ୍ନ ଅଳଙ୍କାର ରଖାଯାଇଛି। ଆସନ୍ତା ମାସ ୧୧ ତାରିଖ ପରେ ପୁନର୍ବାର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ବାଇଟ୧- ଅରବିନ୍ଦ ପାଢୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାଇଟ୨- ଜଷ୍ଟିସ ବିଶ୍ୱନାଥ ରଥ, ଅଧ୍ୟକ୍ଷ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବାଇଟ୩- ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଛତିଶା ନିଯୋଗ ମହାନାୟକ ବାଇଟ୪- ମଧୁସୁଦନ ସିଂହାରୀ, ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି
