ପ୍ରଶାସନ ବିରୋଧରେ ଜିଲ୍ଲା କାର୍ଯ୍ୟାଳୟ ଘେରାଓ କରିବ ହିନ୍ଦୁ ସ୍ୱାଭିମାନ ମଞ୍ଚ |

ଭଦ୍ରକ ପ୍ରଶାସନ ବିରୋଧରେ ଜିଲ୍ଲା କାର୍ଯ୍ୟାଳୟ ଘେରାଓ କରିବ ହିନ୍ଦୁ ସ୍ୱାଭିମାନ ମଞ୍ଚ । ଏନେଇ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ଚେତାବନି ଦିଆଯାଇଛି । ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଥିବା ବେଳେ ଉଭୟ ପୋଲିସ ପ୍ରଶାସନ ଚୁପ ରହୁଛି । ପ୍ରଶାସନର ଏପରି କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ହିନ୍ଦୁ ସ୍ୱାଭିମାନ ମଞ୍ଚ । ଏହି ଉପଲକ୍ଷେ ଗାନ୍ଧୀ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚର ସଭାପତି ବିଭୁଚନ୍ଦନ ଜେନା, ମାନସ ମହାନ୍ତି, ସ୍ୱାଧୀନ ସୁନ୍ଦର ଦାସ ଓ ମଧୁସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ଆଗାମୀ ୧୨ ତାରିଖ ଦିନ ପ୍ରଶାସନର ନୀରବତାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଘେରାଓ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ବିଭିନ୍ନ ସାମାଜିକ ସଂଗଠନ ଓ ହିନ୍ଦୁ ସମାଜର ଲୋକମାନେ ଯୋଗଦାନ କରିବେ ବୋଲି କହିଛନ୍ତି । ବିଗତ ଦୁଇ ମାସ ଭିତରେ ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରା ଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଅଥଚ ହିନ୍ଦୁ ଲୋକମାନଙ୍କୁ ମାମଲାର ସମାଧାନ କରିବା ପାଇଁ ବାଧ୍ୟ କରା ଯାଉଛି । ଏଥିରେ ଅତିଷ୍ଟ ହୋଇ ପଡିଲେଣି ହିନ୍ଦୁ ସମାଜ । ତେବେ ଏ ସମ୍ପର୍କରେ ହିନ୍ଦୁ ସ୍ୱାଭିମାନ ମଞ୍ଚ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ବିଭିନ୍ନ ସମୟରେ ଦାବିପତ୍ର ଦେଉଥିଲେ ମଧ୍ୟ ସେମାନେ ନୀରବତା ଅବଲମ୍ବନ କରୁଛନ୍ତି । ତେଣୁ ପ୍ରଶାସନକୁ ଚେତାଇବା ସହିତ ହିନ୍ଦୁଙ୍କ ସୁରକ୍ଷା ପାଇଁ ଏହି ପ୍ରତିବାଦ ଓ ଘେରାଓ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *