ନଛିବିନ୍ଧାରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ
ଭଦ୍ରକ:୨୮/୯- ଭଦ୍ରକ ଜିଲ୍ଳା ତିହିଡି ବ୍ଲକ୍ ପୀରହାଟ ଥାନାଧିନ ନଛିବିନ୍ଧା ଗ୍ରାମର ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତା ଶଶଧର ରାଉଳଙ୍କ ସ୍ତ୍ରୀ କବିତା ରାଉଳ ବୋଲି ଜଣାଯାଇଛି। ଶୋଇବା ଘରେ ଖଟ ଉପରେ ଶବ ପଡ଼ିଥିବା ବେଳେ ସିଲିଂ ଫେନ୍ ରେ ବନ୍ଧା ହୋଇଥିବା ଉଢଣି ଶବ ଦେହରେ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ। କବିତା ୨୦୦୭ ମସିହାରେ ନଛିବିନ୍ଧା ଗ୍ରାମର ଶଶଧର ରାଉଳଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ମଧ୍ଯ ଅଛି। କବିତାଙ୍କ ସ୍ବାମୀ କଟକ ସିକ୍ଯୁରିଟ ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। କବିତାଙ୍କ ବାପା ଉମା କାନ୍ତ ନାୟକ ତାଙ୍କ ଝିଅ ଆତ୍ମହତ୍ୟା ନୁହେଁ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। କବିତା ମୃତ୍ୟୁ ସମୟରେ ସେହି ଘରେ ଉପସ୍ଥିତ ଥିବା ଉମେଶ ରାଉଳ ସୁପରିକଳ୍ପିତ ଭାବେ ହତ୍ୟାକାଣ୍ଡ କରି ଆତ୍ମହତ୍ୟାର ରୁପ ଦେଇଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ସୋମବାର ସଂଧ୍ୟାରେ ଶବକୁ ଜବତ କରିଥିବା ବେଳେ ମଙ୍ଗଳବାର ସକାଳେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଥିବା ଜଣାଯାଇଛି। ଏନେଇ ମୃତାଙ୍କ ବାପା ଉମାକାନ୍ତ ନାୟକଙ୍କ ଏତଲା ମୁତାବକ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉମେଶ ରାଉଳଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ପଚରା ଉଚୁରା ଚଳାଉଥିବା ଥାନାଧିକାରୀ ଗୟାଧର ବେହେରାଙ୍କ ଠାରୁ ସୂଚନା ମିଳିଛି।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
