ହାତର ସ୍ପର୍ଶ ଦେଉଛି ଜୀବନ୍ତ ରୂପ

ନିଜ ହାତ ତିଆରି କଳାକୃତି ଜଣେ କାରିଗରଙ୍କୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ। ଗଞ୍ଜମ ଜିଲ୍ଲାରେ ମଧ୍ୟ ଏଭଳି ଅନେକ କାରିଗର ରହିଛନ୍ତି, ଯେଉଁମାନଙ୍କ ହାତର ଯାଦୁ ସେମାନଙ୍କୁ ଖୁବ୍ ପରିଚିତ କରାଇଛି ଏବଂ ନିଜର ଭିତରେ ଥିବା କଳା ପାଇଁ ସେମାନେ ସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି। କେବଳ ପ୍ରଶଂସା ନୁହେଁ ବରଂ ଏହାକୁ ବୃତ୍ତି ଭାବେ ମଧ୍ୟ ଅପଣାଇଛନ୍ତି ଅନେକ କାରିଗର। ନିଜ ହାତର ସ୍ପର୍ଶରେ ଗଢୁଥିବା କଳାକୃତି କୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି । ଆଉ ଏଭଳି ଜଣେ କାରିଗର ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲାଗୁଣ୍ଠା ଅଞ୍ଚଳର ପ୍ରକାଶ ମହାରଣା। ବେଲଗୁଣ୍ଠା ଅଂଚଳର ପିତ୍ତଳ ମାଛ ବେଶ ପ୍ରସିଦ୍ଧି ଲାଭ କରିଛି। କେବଳ ମାଛ ନୁହେଁ ଚିଙ୍ଗୁଡ଼ି ,ଶେଉଳ ରୋହି, ଦେବଦେବୀଙ୍କ ମୂର୍ତ୍ତି ଓ ଘରକରଣା ସମଗ୍ରୀ ପିତ୍ତଳରେ ପ୍ରସ୍ତୁତ କରି ଏଠାରେ ବିକ୍ରୀ କରାଯାଏ। ପିତ୍ତଳକୁ ହାତୁଡ଼ିରେ ପିଟି ପିଟି ଜୀବନ୍ତ ରୂପ ଦେବାରେ ବ୍ୟସ୍ତ ରୁହନ୍ତି କାରିଗର । ତେବେ ଏସବୁକୁ ତିଆରି କରୁଛନ୍ତି ବେଲାଗୁଣ୍ଠା ଅଞ୍ଚଳର କାରିଗର ପ୍ରକାଶ ମହାରଣା। ବେଲଗୁଣ୍ଠ ସହରର ପିତ୍ତଳ କାରିଗର ଭାବେ ସେ ବେଶ ଜଣା ଶୁଣା। କାହିଁ କେତେ ବର୍ଷରୁ ଚାଲି ଆସୁଥବା ଏହି କୌଳିକ ବୃତ୍ତିକୁ ଆଜିବି ବଞ୍ଚାଇ ରଖିଛନ୍ତି ପ୍ରକାଶ। ପ୍ରଥମେ ପିତ୍ତଳ ସିଟ୍ କୁ କାଟିବା ପରେ ତାକୁ ହାତୁଡ଼ିରେ ପିଟି ମାଛ କାତି ତିଆରି କରନ୍ତି। ପରେ ମାଛର ମୁଣ୍ଡ ଓ ଲାଞ୍ଜ ତିଆରି କରନ୍ତି । ଆଉ ଏ ସବୁ କୁ ଯୋଡ଼ି ଅବିକଳ ମାଛର ରୂପ ଦିଅନ୍ତି । ଏହି ମାଛର ଆକାର ଅନୁଯାୟୀ 200 ଟଙ୍କା ରୁ 20 ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରିଥାନ୍ତି। ବଜାରରେ ପିତ୍ତଳ ମାଛର ଚାହିଦା ରହିଥିବାରୁ ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ କରି ଆସୁଥିବା କହିଛନ୍ତି। ତା ସହ ଜିଲ୍ଲା ଶିଳ୍ପକେନ୍ଦ୍ରର ସହଯୋଗରେ ପ୍ରକାଶ ବହୁ ଜଣଙ୍କୁ ଟ୍ରେନିଂ ମଧ୍ୟ ଦେଇଛନ୍ତି। ପିତ୍ତଳ ମାଛର କାରିଗରୀ ଭିନ୍ନ ଥିବାରୁ ଏହାକୁ ଉପହାର ସ୍ୱରୂପ ପ୍ରଦାନ କରାଯାଉଛି । ଦେଶ ତଥା ଦେଶ ବାହାରେ ମଧ୍ୟ ଏହି ପିତ୍ତଳ କାରିଗରୀର ବେଶ ଚାହିଦା ରହିଛି। ଏହି ପିତ୍ତଳ ମାଛକୁ ଜି ଆଇ ଟ୍ୟଗ ମାନ୍ୟତା ପାଇଁ ପ୍ରଚେଷ୍ଠା କରାଯାଇଛି । ଯଦି ମାନ୍ୟତା ମିଳେ ତାହେଲେ ଆନ୍ତର୍ଜାତୀୟ ସ୍ତରରେ ଏହା ପ୍ରସିଦ୍ଧି ଲାଭ କରିପାରିବ ବୋଲି ଆଶା ରଖିଛନ୍ତି କାରିଗର।

Leave a Reply

Your email address will not be published. Required fields are marked *