ମର୍ତ୍ତ୍ୟ ମଣ୍ଡଳରେ ଦ୍ଵିବିଧ ଯୋନି ରହିଛି
ମର୍ତ୍ତ୍ୟ ମଣ୍ଡଳରେ ଦ୍ଵିବିଧ ଯୋନି ରହିଛି ଯଥା – କର୍ମ ମିଶ୍ରିତ ଭୋଗ ଯୋନି ଓ ଭୋଗ ଯୋନି । ଏ’ ମର ଜଗତରେ ଯେଉଁ ଦେଵତା, ଦାନବ ଓ ମାନବମାନେ ଜନ୍ମ ଗ୍ରହଣ କରନ୍ତି ସେ’ମାନେ କର୍ମ ମିଶ୍ରିତ ଭୋଗ ଯୋନି ଅର୍ନ୍ତଗତ ଏବଂ ତତ୍ ବ୍ୟତୀତ ଯେତେ ଜୀବ ଅଛନ୍ତି ସେ’ମାନେ ଭୋଗଯୋନିର ପର୍ଯ୍ୟାୟ ବିଶେଷ। ଉପରୋକ୍ତ ଦୁଇ ଯୋନି ମଧ୍ୟରୁ ଭୋଗ ଯୋନିରେ କର୍ମ ଉତ୍ପତ୍ତି ହୁଏ ନାହିଁ। ଏହି ଜୀବମାନେ ଜନ୍ମ ନିଅନ୍ତି ଭୋଗ ଶେଷ ପରେ ଶରୀର ତ୍ୟାଗ କରିଥାନ୍ତି କିନ୍ତୁ କର୍ମ ମିଶ୍ରିତ ଭୋଗ ଯୋନି ପ୍ରାଣୀମାନେ କର୍ମ ସହ ଭୋଗ ମଧ୍ୟ କରିଥାନ୍ତି। ଯାହା ଫଳରେ ଏ’ମାନେ ଜୀବିତ ଅବସ୍ଥାରେ ଯେଉଁ କର୍ମମାନ କରନ୍ତି ସେସବୁ ସଞ୍ଚିତ ହୋଇ ପ୍ରାରବ୍ଧର ରୂପ ନେଇଥାଏ। ଏହା ହିଁ କର୍ମ ମିଶ୍ରିତ ଭୋଗ ଯୋନି ଏଵଂ ଭୋଗ ଯୋନିର ବିଶେଷତ୍ଵ। ଯେଉଁମାନେ ଜୀବଦଶା ଭିତରେ ଧର୍ମ ଓ ଅଧର୍ମ ମଧ୍ୟରୁ ଯେକୌଣସି ଗୋଟାଏକୁ ଆଚରଣ କରି କାର୍ଯ୍ୟ କରନ୍ତି ସେହିମାନେ ତାହାର ଫଳ ଭୋଗ କରିଥାନ୍ତି। ସାଧାରଣତଃ ଅହଙ୍କାରୀ ମନୁଷ୍ୟ ମାୟିକ ପ୍ରପଞ୍ଚରେ ମୋହିତ ହୋଇ ଧରାକୁ ସରା ମଣିଥାନ୍ତି ଏବଂ ଧନ ବଳ , ଜନ ବଳ ଓ ବାହୁବଳ ବଳରେ ମତ୍ତ ହୋଇ ଅନ୍ୟର ଅହିତ ସାଧନ କରିବାକୁ ପଛାନ୍ତି ନାହିଁ। ଏ’ପରି ପୁରୁଷ ଅନୀତି ପଥରେ ସର୍ବଦା ଅଗ୍ରସର ରହି ଶାସ୍ତ୍ର ବିହିତ ଧର୍ମର ବିପରୀତ କର୍ମ ଆଚରଣ କରିଥାନ୍ତି । ଏ’ମାନେ ତତ୍କାଳିକ ସୁଖ ଭୋଗ କଲେ ମଧ୍ୟ କାଳାନ୍ତରରେ ଦୁଃଖ ଓ ଯାତନା ଆଦି ଭୋଗିଥାନ୍ତି। ଏ’ପରି ଲୋକଙ୍କ ପାଇଁ ଓଡ଼ିଆରେ ଏକ ଲୋକୋକ୍ତି ରହିଛି ” ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ “। ପରନ୍ତୁ ଯେଉଁମାନେ ଶାସ୍ତ୍ର ବିହିତ କର୍ମ କରିବା ସହିତ ଧର୍ମ ପଥରେ ଗମନ କରନ୍ତି ସେମାନେ ତତ୍କାଳିକ ଦୁଃଖ ଭୋଗକଲେ ମଧ୍ୟ କାଳାନ୍ତରରେ ଆନନ୍ଦ ପ୍ରାପ୍ତି କରିଥାନ୍ତି। ସଜ୍ଜନମାନେ ଜାଣନ୍ତି ଅସତ୍ୟ ରୂପି ଅନ୍ଧକାର କିଛି ସମୟ ପାଇଁ ନିଜର କାୟା ବିସ୍ତାରିତ କରିପାରେ କିନ୍ତୁ ଧର୍ମର ସ୍ବରୂପ ସ୍ଵପ୍ରକାଶକୁ କେବେ ମଧ୍ୟ ବହୁ କାଳଧରି ଆବରଣ କରି ପାରିବ ନାହିଁ। ଧର୍ମର ଅଶେଷ ସାମର୍ଥ୍ୟ ରହିଛି । ସେ ନିମିଷକ ମଧ୍ୟରେ ଅସତ୍ୟକୁ ପ୍ରତିହତ କରିଦିଏ। ତେଣୁ ସଦାଚାରୀ ଗୋଷ୍ଠୀମାନେ ଦୁଃଖ ଭୋଗିଲେ ବି କେବେ ମଧ୍ୟ ଧର୍ମ ପଥକୁ ତ୍ୟାଗ କରନ୍ତି ନାହିଁ । ଧାର୍ମିକ ବ୍ୟକ୍ତିମାନେ ବାହ୍ୟରେ ପ୍ରକାଶ ନ କଲେ ମଧ୍ୟ ସେମାନେ ” ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପରଧର୍ମୋ ଭୟାଵଃ ” ବୋଲି ଜାଣନ୍ତି । ଅତଃ ଧର୍ମ ପଥର ପଥିକମାନଙ୍କ ଦୃଢ଼ ବିଶ୍ଵାସର ସହିତ କହନ୍ତି – ” ଧର୍ମୋ ରକ୍ଷତି ରକ୍ଷିତଃ ” । ଯେଉଁମାନେ ଧର୍ମକୁ ରକ୍ଷାକରିବେ ତା’ଙ୍କୁ ନିଶ୍ଚୟ ଧର୍ମ ଦିନେନା ଦିନେ ରକ୍ଷା କରିବ। ଏଣୁ ଶାସ୍ତ୍ରରେ କୁହାଯାଇଛି ସର୍ବଦା ଧର୍ମର ଜୟ ହୁଏ ଓ ଅଧର୍ମର ବିନାଶ ହୋଇଥାଏ । ଆସିକା, ଗଞ୍ଜାମ।
