ସାରା ଓଡ଼ିଶାରେ ଯଥେଷ୍ଟ ପେଟ୍ରୋଲ, ଡିଜେଲ ଓ ଏଲପିଜି ମହଜୁଦ ଅଛି ଏବଂ ବାଧାମୁକ୍ତ ଯୋଗାଣ ଜାରି ରହିଛି
ଭୁବନେଶ୍ୱର, ୧୫ ମେ, ୨୦୨୬ସାରା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମହଜୁଦ ଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟର କେତେକ ଖୁଚୁରା ବିକ୍ରୟ କେନ୍ଦ୍ର ବା ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ମିଳୁନଥିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି । ରାଜ୍ୟରେ ତୈଳ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି ।ଯଥାଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକ ସମ୍ପୃକ୍ତ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦ୍ରୁତ ଗତିରେ ପେଟ୍ରୋଲ ଓ ଡିଜେଲ୍ ଯୋଗାଣ କରି ସକ୍ରିୟ ପଦକ୍ଷେପ ନେଇଛନ୍ତି । ଇନଭେଣ୍ଟରୀ ସ୍ତରରେ ସକ୍ରିୟ ଭାବେ କ୍ରମାଗତ ଅନୁଧ୍ୟାନ କରାଯାଉଛି । ଯେଉଁସବୁ ଖୁଚୁରା ବିକ୍ରୟ କେନ୍ଦ୍ରରେ ତେଲ ଶେଷ ହୋଇ ଯାଇଥିବା ସମ୍ପର୍କରେ ରିପୋର୍ଟ କରାଯାଇଛି ସେଠାରେ ତୁରନ୍ତ ଷ୍ଟକ୍ ଯୋଗାଇ ଦେବା ପାଇଁ ପ୍ରାଥମିକତା ଆଧାରରେ ଯୋଗାଣ ଜାରି ରହିଛି।ପାଇକାରୀ ଉପଭୋକ୍ତାମାନଙ୍କୁ ସେମାନଙ୍କର ଇନ୍ଧନ ଆବଶ୍ୟକତା ପୂରଣ କରିବା ଲାଗି ଖୁଚୁରା ବିକ୍ରୟ କେନ୍ଦ୍ର ପରିବର୍ତ୍ତେ ସିଧାସଳଖ ତୈଳ ବିପଣନ କମ୍ପାନୀ ଠାରୁ ତୈଳ କିଣିବା ଲାଗି ପରାମର୍ଶ ଦିଆଯାଇଛି । କାରଣ ଅଧିକ ପରିମାଣରେ ପେଟ୍ରୋଲିୟମ ଉତ୍ପାଦ ବିକ୍ରି କରିବା ଲାଗି ପେଟ୍ରୋଲ୍ ପମ୍ପଗୁଡ଼ିକ ପାଖରେ ଅଧିକାର ନାହିଁ ।ସାରା ଓଡ଼ିଶାରେ ଇଣ୍ଡିଆନ୍ ଅଏଲର ସମସ୍ତ ଯୋଗାଣ ସ୍ଥାନ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଏବଂ ଡିଜେଲ ଗଚ୍ଛିତ ରଖାଯାଇଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଚିନ୍ତାର କୌଣସି କାରଣ ନାହିଁ ବୋଲି ଜନସାଧାରଣଙ୍କୁ ଇଣ୍ଡିଆନ୍ ଅଏଲ ପକ୍ଷରୁ ଆଶ୍ୱସ୍ତ କରାଯାଇଛି । ଗ୍ରାହକମାନଙ୍କୁ ଆତଙ୍କିତ ହୋଇ ତେଲ କିଣିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ଇନ୍ଧନ ଉପଲବ୍ଧତା ସମ୍ପର୍କରେ ସଠିକ୍ ଓ ପ୍ରାମାଣିକ ସୂଚନା ପାଇଁ ନାଗରିକମାନଙ୍କୁ କେବଳ ଇଣ୍ଡିଆନ୍ ଅଏଲ୍ ର ଅଧିକୃତ ଯୋଗାଯୋଗ ଉପରେ ଭରସା କରିବାକୁ ଅନୁରୋଧ କରାଯାଇଛି ।
