ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ ଆକଳନ ପ୍ରକ୍ରିୟାକୁ ସୁଦୃଢ଼ କରିବା” ଶୀର୍ଷକ 

ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ ଆକଳନ ପ୍ରକ୍ରିୟାକୁ ସୁଦୃଢ଼ କରିବା” ଶୀର୍ଷକ                                                            ରାଜ୍ୟସ୍ତରୀୟ ପରାମର୍ଶମୂଳକ କର୍ମଶାଳା ଅନୁଷ୍ଠିତ

ଜିଏସଡିପି  ଆକଳନର ଗୁଣବତ୍ତା ଓ ନିର୍ଭରଯୋଗ୍ୟତା ପାଇଁ                                                                                        ବିଭାଗୀୟ ସମନ୍ୱୟ ଓ ସକ୍ରିୟ ସହଭାଗିତା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

 ଭୁବନେଶ୍ୱର ତା-୧୨.୧୧.୨୦୨୬ 

ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ( ଏମଓଏସପିଆଇ)  ଅଧୀନସ୍ଥ ଜାତୀୟ ଆକାଉଣ୍ଟସ୍ ବିଭାଗ (ଏନ୍ଏଡି)ର ସହଯୋଗରେ “ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ ( ଜିଏସଡିପି ) ଆକଳନ ପ୍ରକ୍ରିୟାକୁ ସୁଦୃଢ଼ କରିବା” ଶୀର୍ଷକ ଏକ ରାଜ୍ୟସ୍ତରୀୟ ପରାମର୍ଶମୂଳକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।  ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ଅଧ୍ୟକ୍ଷତା କରିଥିଲେ । ଏଥିରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ସମ୍ପୃକ୍ତ  ବିଭିନ୍ନ ବିଭାଗଗୁଡ଼ିକର ସଚିବ, ସହଯୋଗୀ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀ ଏବଂ ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କର୍ମଶାଳାର ଆୟୋଜନ ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ  କରାଯାଇଥିଲା ।

ଜାତୀୟ ଆକାଉଣ୍ଟସ୍ ବିଭାଗ, ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ  ପକ୍ଷରୁ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)  ଆକଳନର ପଦ୍ଧତିଗତ ଢାଞ୍ଚା ସମ୍ପର୍କରେ ଏକ ସମୀକ୍ଷାତ୍ମକ ଉପସ୍ଥାପନା ସହ କର୍ମଶାଳାର ଆଲୋଚନା ଆରମ୍ଭ ହୋଇଥିଲା । ଏହା ପରେ ବିଭିନ୍ନ କ୍ଷେତ୍ରଭିତ୍ତିକ ଉପସ୍ଥାପନା ଓ ଆଲୋଚନା ମାଧ୍ୟମରେ ତଥ୍ୟଗତ ଅଭାବ ଚିହ୍ନଟ କରିବା ସହ ରାଜ୍ୟ ନିର୍ଦ୍ଦିଷ୍ଟ ହାର ଓ ଅନୁପାତ ପ୍ରସ୍ତୁତି ପାଇଁ ଆବଶ୍ୟକ ତଥ୍ୟ ଓ ତଥ୍ୟ ସଂଗ୍ରହର ଆବଶ୍ୟକତା ଉପରେ ଗୁରୁତ୍ୱପୂର୍ଣ୍ଣ ବିଚାରବିମର୍ଶ କରାଯାଇଥିଲା । ଫସଲ,ପ୍ରାଣୀପାଳନ, ମତ୍ସ୍ୟଚାଷ ଓ ଜଳକୃଷି, ବନୀକରଣ ଓ କାଠ ଉତ୍ତୋଳନ ଏବଂ ଅଣ-ଆର୍ଥିକ ସେବା କ୍ଷେତ୍ରରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ  ଆକଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷତଃ ଅସଂଗଠିତ ସେବା କ୍ଷେତ୍ରର ଅବଦାନ ଆକଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ନୂତନ ଆଧାର ବର୍ଷ ( ବେସ୍ ଇଅର ) ପ୍ରଚଳନ ସହ ଜଡ଼ିତ ପଦ୍ଧତିଗତ ପରିବର୍ତ୍ତନକୁ ଦୃଷ୍ଟିରେ ରଖି  ଜିଏସଡିପି  ଆକଳନ ପଦ୍ଧତିକୁ ଅନୁକୂଳ କରିବା ସହ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ  ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରକ୍ରିୟାରେ ସମସ୍ତ ସମ୍ପୃକ୍ତ ବିଭାଗର ସକ୍ରିୟ ସହଭାଗିତା ସହ ବିଭାଗୀୟ ସମନ୍ୱୟକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହାଦ୍ୱାରା ରାଜ୍ୟର ଅର୍ଥନୈତିକ ଆକଳନର ବ୍ୟାପକତା ସୁନିଶ୍ଚିତ ହେବା ସହ ଏହାର ଗୁଣବତ୍ତା, ନିର୍ଭରଯୋଗ୍ୟତା ଓ ସଠିକତାରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟ ସଚିବ  ମତବ୍ୟକ୍ତ କରିଥିଲେ । 

ଶ୍ରୀମତୀ ମୋନାମୀ ମିତ୍ର, ନିର୍ଦ୍ଦେଶିକା, ଜାତୀୟ ହିସାବ ବିଭାଗ (ଏନଏଡି) , ପରିସଂଖ୍ୟାନ  ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ, ଭାରତ ସରକାର କର୍ମଶାଳାରେ ଯୋଗଦେଇ ଜିଏସଡିପି  ଆକଳନ ସମ୍ପର୍କିତ ବିଭିନ୍ନ ପଦ୍ଧତିଗତ ଦିଗ ଉପରେ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ । ଏଥିସହ ଅଂଶଗ୍ରହଣକାରୀ ବିଭାଗ ଓ ଅଧିକାରୀମାନଙ୍କ ପକ୍ଷରୁ ଉଠାଯାଇଥିବା ବିଭିନ୍ନ ପ୍ରଶ୍ନ ଓ ସନ୍ଦେହର ଉତ୍ତର ମଧ୍ୟ ଦେଇଥିଲେ । 

କର୍ମଶାଳାରେ ହୋଇଥିବା ପ୍ରମୁଖ ଆଲୋଚନା ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ସମସ୍ତ ବିଭାଗର ସହଭାଗିତା ନେଇ ପରାମର୍ଶ କରାଯାଇଥିଲା ।  ଜିଏସଡିପି  ଆକଳନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଏବଂ ସମ୍ପୃକ୍ତ ପ୍ରଶାସନିକ ତଥ୍ୟର ନିୟମିତ ଆଦାନପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡ଼ିଶା ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ସମସ୍ତ ସମ୍ପୃକ୍ତ ବିଭାଗର ସକ୍ରିୟ ସହଭାଗିତା ଓ ଦାୟିତ୍ୱବୋଧ ସୁନିଶ୍ଚିତ କରିବା ଉପରେ ଆଲୋଚନା କରାଯାଇଛି ।  

             ତଥ୍ୟର ପରିସର ବୃଦ୍ଧି ପାଇଁ  ରାଜ୍ୟର ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପର ବ୍ୟାପକ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବା ସହ ରାଜ୍ୟର ନିଜସ୍ୱ ଅର୍ଥନୈତିକ ଢାଞ୍ଚାର ସମ୍ପୂର୍ଣ୍ଣ ଓ ସମଗ୍ର ଚିତ୍ର ପ୍ରତିଫଳିତ କରିବା ନିମନ୍ତେ ଜିଏସଡିପି  ଆକଳନ ପଦ୍ଧତିରେ ଅତିରିକ୍ତ ଆର୍ଥିକ କାର୍ଯ୍ୟକଳାପ, ବିଭିନ୍ନ ଉପାଦାନ ଏବଂ ନୂତନ ତଥ୍ୟ ଉତ୍ସଗୁଡ଼ିକୁ ସାମିଲ କରିବାର ସମ୍ଭାବନା ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି ।  

ବିଭାଗୀୟ ସମନ୍ୱୟକୁ ସୁସଂଗଠିତ କରିବା, ତଥ୍ୟର ଆବଶ୍ୟକତା ସମୀକ୍ଷା କରିବା, କ୍ଷେତ୍ରଭିତ୍ତିକ ତଥ୍ୟର ଅଭାବ ଚିହ୍ନଟ କରିବା ଏବଂ ଆବଶ୍ୟକୀୟ ସୂଚନା ନିର୍ଦ୍ଧାରିତ ସମୟରେ ଉପଲବ୍ଧ କରାଇବା ନିମନ୍ତେ ସମ୍ପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ର ପ୍ରତିନିଧିତ୍ୱ ସହ ବିଭାଗୱାରୀ କମିଟି ଗଠନ କରିବା, ଜିଏସଡିପି  ସମ୍ପର୍କିତ ତଥ୍ୟ ସଂଗ୍ରହର ବର୍ତ୍ତମାନର ବ୍ୟବସ୍ଥା, ତଥ୍ୟଭୁକ୍ତ ବିଷୟବସ୍ତୁର ପରିସର ଏବଂ ରିପୋର୍ଟ ପ୍ରଦାନ ପ୍ରଣାଳୀର ସମୀକ୍ଷା କରିବା ସହ ଆବଶ୍ୟକୀୟ ସଂସ୍କାର ଆଣିବା, ଅତିରିକ୍ତ ଉପାଦାନଗୁଡ଼ିକୁ ସାମିଲ କରିବା ଏବଂ ତଥ୍ୟର ଗୁଣବତ୍ତା, ସମନ୍ୱୟ ଓ ନିର୍ଭରଯୋଗ୍ୟତାରେ ଉନ୍ନତି ଆଣିବାର ସମ୍ଭାବନା ଅନୁଧ୍ୟାନ କରିବା, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ   ସହ ସମନ୍ୱୟ ସୁଦୃଢ଼ୀକରଣ କରାଯିବା, ତଥ୍ୟଗତ ଅଭାବ ଦୂର କରିବା, ପ୍ରଶାସନିକ ତଥ୍ୟଗୁଡ଼ିକରେ ସମନ୍ୱୟ ରକ୍ଷା କରିବା ଏବଂ କ୍ଷେତ୍ରଭିତ୍ତିକ ହାର ଓ ଅନୁପାତର ଆକଳନ ପଦ୍ଧତିରେ ଉନ୍ନତି ଆଣିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକ ଓ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ମଧ୍ୟରେ ନିରନ୍ତର ଯୋଗାଯୋଗ ଓ ସମନ୍ୱୟ ପାଇଁ ଏକ ସୁସଂଗଠିତ ବ୍ୟବସ୍ଥା ପ୍ରତିଷ୍ଠା କରିବା ସଂପର୍କରେ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *