ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ମଶାଲ ଶୋଭାଯାତ୍ରା

ପୁରୀ- ତା. ୨୮.୧୦.୨୦୨୧- ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । ୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ । ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ନିମନ୍ତେ ଭାରତୀୟ ସେନା ପକ୍ଷରୁ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ସହ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି । ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି ଓ ଏହି ବିଜୟ ମଶାଲ ନଭେମ୍ବର ୫ ତାରିଖରେ ପୁରୀରେ ପହଞ୍ଚିବ । ଏହି ବିଜୟ ମଶାଲକୁ ଆଡମ୍ବର ସହ ପୁରୀରେ ସ୍ବାଗତ କରାଯିବ । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆସନ୍ତା ୫ ତାରିଖ ସକାଳ ସମୟରେ ବ୍ଲୁ ଫ୍ଲାଗ ବିଚରେ ବାଲୁକା କଳା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାପରେ ଏହାକୁ ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟ ପରିସରରେ ସ୍ବାଗତ କରାଯିବ । ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ହାଇସ୍କୁଲ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ଏନସିସି, ରେଡକ୍ରସ ଓ ଏନଏସଏସ ସ୍ବେଚ୍ଛାସେବୀ ସାମିଲ ହେବେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ଉତ୍ସବ ପାଳନ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଏହି ଅବସରରେ ଡିଏଫଓ ଶ୍ରୀ ପି. ରାମାସ୍ବାମୀ, ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ସୁଜାତା ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *