ଅନ୍ଧକାରର ଅକୁହା ଅନ୍ତର୍ଦାହ

         ଅନ୍ଧକାରର ଅକୁହା ଅନ୍ତର୍ଦାହ

   🖋️ କବିରତ୍ନ ନୂତନ କୁମାର ବେହେରା

ଅମା ଅନ୍ଧକାର ହୁଏ ଯା’ ଘନରୁ ଅଧିକ ଘନ
ତାର ଗଭୀର ଗର୍ଭର ଚକା ଭଉଁରୀରେ
ଜୀବନର ଆଶା ତରୀ କରେ ଆତଙ୍କେ ଘୁର୍ଣ୍ଣନ
ଅତସ୍ତତେଃ ଚତୁର୍ଦ୍ଦିଗେ ଚାହେଁ ଦୁଇ ନୟନ
ଦିଶୁଥାଏ କେବଳ ଶୂନ୍ୟରୁ ମହାଶୂନ୍ୟ
ମନର ଇପ୍ସା ଆକାଂକ୍ଷା ମରିଯାଏ ସଂପୂର୍ଣ୍ଣ
ଦୀର୍ଘ ନିଃଶ୍ବାସ ପକାଇ ସେ ଦେଖେ ଆକାଶକୁ
ଟିକି ଟିକି ତାରା ଜଳୁଥାନ୍ତି ଭାରି ଉଜ୍ଜ୍ୱଳ
ବୋଧହୁଏ ଦୂରେଇବାକୁ ଏ ଅନ୍ଧାର
କିନ୍ତୁ ହାୟ ! ବ୍ୟର୍ଥ ହୁଏ ସବୁ ପ୍ରୟାସ ତାଙ୍କର
ହୋଇଯାଏ ଫଳଶୂନ୍ୟ ଅଯଥା ନିରର୍ଥକ
ଥିବାରୁ ଅକଳନ ଅପରିମେୟ ଦୂରତାରେ
ଜହ୍ନ ତ କରି ଅଭିମାନ ରୁଷି ରହିଥାଏ ଛପି
ସ୍ନିଗ୍ଧ କୋମଳ ଜୋଛନା ଅବା ଢାଳିବ କିଏ ସେ
ପ୍ରିୟ ବିନା ପ୍ରିୟାର ମନ ହୁଏ ଉଚ୍ଚାଟନ
ସରୋବରରେ କୁମୁଦିନୀ କରେ ଆତ୍ମବିସର୍ଜନ
ହୃଦୟରେ ସଞ୍ଚିତ ଅସରନ୍ତି ଆଶା ସପନ
ବିରହର ବିଭାବରୀରେ ହୋଇଯାଏ ଛିହ୍ନ ଭିନ୍ନ
ଜୀବନଟା ଲାଗେ ବେସାହାରାର ମରୁ ସାହାରା
ବିଗତ ଦିନର ସ୍ମୃତି ଅଶରୀରର ପ୍ରେତ ହୋଇ
ଡରାଏ ଏତେ ହରାଇବାକୁ ହୁଏ କୂଳ କିନାରା
ମଉଳି ଝାଉଁଳି ପଡ଼େ ସୁନ୍ଦର ରୂପ ଲାବଣ୍ୟ
ଆଖିରୁ ଅଶ୍ରୁ ଝରି ଭିଜେ ଗଣ୍ଡରୁ ଚିବୁକ
ପ୍ରାଣର ସ୍ପନ୍ଦନରେ କମ୍ପନ ଭରିଦିଏ କାରୁଣ୍ୟ
ଏ ଘନ ଅନ୍ଧକାରର ଅକୁହା ଅନ୍ତର୍ଦାହ
ଅନ୍ତରରୁ ଅନ୍ତର କରି ଦିଏ ପ୍ରେମର ଅନୁରାଗ
ବିରହର ଅନଳ ଅନିଳେ ଦାହ ହୁଏ ଦେହ
ପ୍ରୀତିର ପୀୟୂଷ ପାଲଟିଯାଏ ବିଷ
ମାରିଯାଏ ସକଳ ଆଶା ଆଶ୍ଵାସନାର ବିଶ୍ଵାସ
କହିହୁଏ ନା ସହିହୁଏ ଅନ୍ଧକାରର ଅନ୍ତର୍ଦାହ
ଅକୁହା ରହି ହୁଏ ଛାତିର କୋହ ଝରାଏ ଲୁହ…।

             କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *