ବୁଗୁଡ଼ା କୋର୍ଟ ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଏବଂ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓକିଲ ସଂଘର ସଭାପତି ମିହିରକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଓ ପୂର୍ବତନ ଓକିଲ ସଂଘ ସଭାପତି ହରପ୍ରସାଦ ଦାଶଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ଛତ୍ରପୁର ଓକିଲ ସଂଘର ଗୋକୁଳଚନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟ ଦର୍ଶନୀ ଆଚାରୀ,ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଏବଂ ବ୍ରହ୍ମପୁର ଓକିଲ ସଂଘର ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ସର୍ବପ୍ରଥମେ ସମସ୍ତ ଅତିଥି ଶ୍ରୀ ଜଗନ୍ନାଥ ସ୍ଵାମୀ ଓ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ତା’ପରେ କୋର୍ଟ ପରିସର ମଧ୍ୟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ବରିଷ୍ଠ ଆଇନଜୀବୀ ଉମାଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମଞ୍ଚ ପ୍ରାରମ୍ଭରେ ଓକିଲ ସଂଘ ସମ୍ପାଦକ ଆର୍ତ୍ତବନ୍ଧୁ ଖାଡ଼ଙ୍ଗା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ହୋଇଥିଲା। ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀକୁ ସ୍ବରଣ କରି ତାଙ୍କରି ଆଦର୍ଶକୁ ପାଥେୟ କରି ନିଜକୁ ଗଢିତୋଳିଲେ ହିଁ ମଧୁସୂଦନ ଦାସଙ୍କ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେବା ସ୍ଵରୂପ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ଶତପଥୀ, ମାନସ ରଞ୍ଜନ ଦାଶ,ରବିନ୍ଦ୍ର ନାଥ ପଣ୍ଡା,ବିଭୁଦତ୍ତ ନାୟକ ଏବଂ ପ୍ରଭାତ କୁମାର ଜେନା ସୁପରିଚାଳନା କରିଥିବା ବେଳେ ୫୦ ରୁ ଊର୍ଦ୍ଧ୍ଵ ଓକିଲ ସଂଘର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ।
