ପିଇବା ପାଣି ସମସ୍ୟା କୁ ନେଇ ହାଣ୍ଡି ବାଲଟି ଧରିରାସ୍ତା ରୋକ କଲେ ପୁଟୁରାଘାଟି ଗ୍ରାମବାସୀ.
ଦାମନଯୋଡି: କୋରାପୁଟ ବ୍ଲକ୍ ଅନ୍ତର୍ଗତ ଲିଟିଗୁଡ଼ା ପଞ୍ଚାୟତ ଅଧିନରେ ଥିବା ପୁଟୁରାଘାଟି ଗ୍ରାମରେ ପିଇବା ପାଣି ସମସ୍ୟା ନେଇ ଆଜି ସକାଳୁ ଗ୍ରାମର ଶହ ଶହ ମହିଳା ମାନଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ନାଲକୋ ଖଣି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଏଠାରେ ପାଣି ସମସ୍ୟା ଏତେ ଉତ୍କଟ ଯେ,୩୭/୩୮ ଡିଗ୍ରୀ ତାପମାତ୍ରାକୁ ବୃକ୍ଷେପ ନକରି ଲୋକେ ଉଦୁଉଦିଆ ଖରାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଏହି ଗାଆଁରେ ପ୍ରାୟ ୧୨୦୦ ଲୋକ ବସବାସ କରନ୍ତି । ଦୁଇ ତିନୋଟି ନଳକୂଅ ଥିଲେ ସୁଧା ଗୋଟିଏ ମାତ୍ର ନଳକୂଅ ରୁ ପାଣି ବାହାରୁଥିବା ବେଳେ ଅନ୍ୟଟିରୁ ଗୋଳିଆ ପାଣି ବାହାରୁଥିବା ତାହା ମଧ୍ୟ ବ୍ଯବହାର ଯୋଗ୍ୟ ନୁହେଁ । ଏତଦ୍ ବ୍ୟତୀତ ନାଲକୋ ଫାଉଣ୍ଡେସନ ପକ୍ଷରୁ ଏକ ପାଣିଟାଙ୍କି ସ୍ଥାପନ କରାଯାଇଛି , ହେଲେ ସେ ଟାଙ୍କିରେ ମଧ୍ୟ ପାଣି ଆସୁନାହିଁ । ଗାଁ ନିକଟ ଦେଇ ଯାଇଥିବା ଏକ ନାଳର ପାଣି କୁ ଗାଁ ଲୋକେ ପିଇବା ଓ ନିତ୍ଯ ବ୍ୟବହାର୍ଯ୍ୟ ପାଇଁ ନିର୍ଭର କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ବସୁଧା ଯୋଜନା ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇନାହିଁ । ନାଲକୋ ଖଣିର ତଳି ଅଞ୍ଚଳରେ ଗାଁର ଅବସ୍ଥିତି ହୋଇଥିବାରୁ ଏହାଦ୍ବାରା ଗାଁ ଲୋକେ ଏହାଦ୍ଵାରା ସିଧାସଳଖ ପ୍ରଭାବିତ ହେଉଛନ୍ତି । ଶିଳ୍ପାଞ୍ଚଳ ପାରିପାର୍ଶ୍ବିକ ଉନ୍ନତିକରଣ ଅଧିନିୟମ ଅନୁସାରେ ନାଲକୋ ପକ୍ଷରୁ ଏଠାରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ନାଲକୋ ପ୍ରଶାସନର ଦାୟିତ୍ୱ ବୋଲି ଗ୍ରାମବାସୀ ଦୃଢ଼ତାର ସହ କହିଛନ୍ତି । ନାଲକୋ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଦାମନଯୋଡି ପୁଲିସ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ପିଇବା ପାଣି ସମସ୍ୟା ର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ରୁ ଓହରିବେ ନାହିଁ ବୋଲି ଗ୍ରାମବାସୀ ଦୃଢୋକ୍ତି ପ୍ରକାଶ କରିବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ଜିଲ୍ଲା ପ୍ରଶାସନ ଓ ନାଲକୋ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି ।
