କେବେ ପାଇବେ ଛାତ୍ର ଛାତ୍ରୀ ପ୍ରି-ମେଟ୍ରିକ୍ ଛାତ୍ରବୃତ୍ତି

ଆସିକା, ୧୮/୦୭/୨୬ସମସ୍ତ ଆବଶ୍ୟକ ନଥିପତ୍ର ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରି-ମେଟ୍ରିକ୍ ଛାତ୍ରବୃତ୍ତି ପାଇଁ ଆବେଦନ କରିଥିଲେ ମଧ୍ୟ ଆସିକା ସରକାରୀ ଏନ୍.ଏ.ସି. ନୋଡାଲ ହାଇସ୍କୁଲର ୯ମ ଶ୍ରେଣୀର ୫୨ ଜଣ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବୃତ୍ତି ଟଙ୍କା ପାଇନାହାନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।ସରକାରୀ ବ୍ୟବସ୍ଥା ଅନୁସାରେ ୯ମ ଓ ୧୦ମ ଶ୍ରେଣୀର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୪ ହଜାର ଟଙ୍କା ପ୍ରି-ମେଟ୍ରିକ୍ ଛାତ୍ରବୃତ୍ତି ପ୍ରଦାନ କରାଯାଏ। ସେହି ଅନୁଯାୟୀ ବିଦ୍ୟାଳୟର ୫୨ ଜଣ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଥିଲେ। ଆବେଦନ ପାଇଁ ସେମାନେ ଅନେକ ଥର ଜନସେବା କେନ୍ଦ୍ରକୁ ଯାଇ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରିଥିଲେ। ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ମଧ୍ୟ କରିଥିଲେ। ବିଦ୍ୟାଳୟ ପକ୍ଷରୁ ଉପସ୍ଥାନ (Attendance) ମାର୍କ ମଧ୍ୟ ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା।ନିୟମ ଅନୁଯାୟୀ ଆବେଦନଗୁଡ଼ିକୁ ବ୍ଲକ ମାଧ୍ୟମରେ ସରକାରୀ ପୋର୍ଟାଲକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପଠାଯିବା କଥା। କିନ୍ତୁ ସମୟରେ ତାଲିକା ଅପଲୋଡ୍ ନ ହେବା ଓ ପୋର୍ଟାଲ ବନ୍ଦ ହୋଇଯିବାରୁ ୫୨ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି।ଏହାର ପରିଣାମ ସ୍ୱରୂପ ୯ମ ଶ୍ରେଣୀର ବୃତ୍ତି ହାତଛଡ଼ା ହୋଇଥିବା ବେଳେ ବର୍ତ୍ତମାନ ସେମାନେ ୧୦ମ ଶ୍ରେଣୀକୁ ଉନ୍ନୀତ ହୋଇଥିବାରୁ ବୃତ୍ତିର ରିନ୍ୟୁଆଲ୍ କରିବାର ସୁଯୋଗ ମଧ୍ୟ ହରାଇବା ଆଶଙ୍କା ଦେଖାଦେଇଛି। ଏହି ଘଟଣା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ାଇଛି।ଘଟଣା ପରେ ବିଦ୍ୟାଳୟର ଶିକ୍ଷକମାନେ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବା ସହ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଲିଖିତ ଭାବେ ଅବଗତ କରାଇଛନ୍ତି I ପ୍ରାଥମିକ ଭାବେ ଏହା ତ୍ରୁଟି ବୋଲି ସୂଚନା ମିଳିଛି। ଏନେଇ ସରକାରଙ୍କ ନିକଟରେ ଆବେଦନ ସମୟ ବୃଦ୍ଧି ପାଇଁ ଚିଠି ଲେଖାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।ଏବେ ପ୍ରଶ୍ନ ଉଠୁଛି, ଏହା କେବଳ ପ୍ରଶାସନିକ ତ୍ରୁଟି ନା ନିର୍ଦ୍ଦୋଷ ଛାତ୍ରଛାତ୍ରୀଙ୍କ ପ୍ରତି ଏକ ଅନ୍ୟାୟ? ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସମସ୍ତ ପ୍ରକ୍ରିୟା ପୂରଣ କରିଥିବା ସତ୍ତ୍ୱେ ବୃତ୍ତିରୁ ବଞ୍ଚିତ ହୋଇଥିବା ଏହି ଛାତ୍ରଛାତ୍ରୀଙ୍କୁ ଶୀଘ୍ର ନ୍ୟାୟ ମିଳିବା ପାଇଁ ଅଭିଭାବକ ଓ ସାଧାରଣ ଲୋକ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *