ପାଙ୍ଗାମ–ମେକ୍କା ସଂଯୋଗୀ ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା

ପାଙ୍ଗାମ–ମେକ୍କା ସଂଯୋଗୀ ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା: ସ୍ଥଳ ପରିଦର୍ଶନ କଲେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା, ଶୀଘ୍ର ସ୍ଥାୟୀ ମରାମତି ପାଇଁ ଦୃଢ଼ ଦାବିମାଥିଲି, ତା. 18/୦7: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ ପାଙ୍ଗାମ ଓ ମେକ୍କା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗି ରହିଛି। ବହୁ ବର୍ଷ ଧରି ରାସ୍ତାଟି ଭାଙ୍ଗିରୁଜି ଯାଇଥିବା ସହ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ଫଳରେ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ, ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀ ଓ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହି ପରିପ୍ରେକ୍ଷୀରେ ସମାଜସେବୀ ତଥା ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ବାସ୍ତବ ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଥିଲେ। ଗ୍ରାମବାସୀମାନେ କହିଥିଲେ ଯେ ବର୍ଷା ଋତୁରେ ରାସ୍ତାଟି କାଦୁଅ ଓ ପାଣିରେ ପରିପୂର୍ଣ୍ଣ ହୋଇଯାଉଥିବାରୁ ଆମ୍ବୁଲାନ୍ସ, ସ୍କୁଲ ବସ୍ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି ହେଉଛି। ଏହାଛଡ଼ା ପ୍ରାୟ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ମଧ୍ୟ କରାଯାଇଥିଲା।ପରିଦର୍ଶନ ପରେ ଶ୍ରୀ ବୁରୁଦା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ରାସ୍ତାର ତୁରନ୍ତ ମରାମତି ସହ ସ୍ଥାୟୀ ଭାବେ ଉନ୍ନତମାନର ସଡ଼କ ନିର୍ମାଣ କରିବାକୁ ଦୃଢ଼ ଦାବି ଜଣାଇଥିଲେ। ସେ କହିଥିଲେ ଯେ ଏହି ରାସ୍ତା ଦୁଇଟି ପଞ୍ଚାୟତର ଜୀବନରେଖା ସଦୃଶ। ତେଣୁ ଏହାର ଉନ୍ନତି କେବଳ ଯାତାୟାତ ପାଇଁ ନୁହେଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି ଓ ସାମାଜିକ ବିକାଶ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ। ସେ ଚେତାବନୀ ଦେଇ କହିଥିଲେ ଯେ, ଯଦି ଖୁବ ଶୀଘ୍ର ରାସ୍ତାର ଉନ୍ନତି କାର୍ଯ୍ୟ ଆରମ୍ଭ ନହୁଏ, ତେବେ ସ୍ଥାନୀୟ ଲୋକଙ୍କୁ ନେଇ ଗଣଆନ୍ଦୋଳନ କରାଯିବ।ଦୀର୍ଘଦିନ ଧରି ପ୍ରଶାସନ ନିକଟରେ ଦାବି ଜଣାଇବା ସତ୍ତ୍ୱେ ମଧ୍ୟ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ସେମାନେ ତୁରନ୍ତ ରାସ୍ତାର ସ୍ଥାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାର ଓ ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି।ଏହି ସ୍ଥଳ ପରିଦର୍ଶନ ସମୟରେ ପାଙ୍ଗାମ ସରପଞ୍ଚ ଇନ୍ଦ୍ର ନାୟକ, ସମାଜସେବୀ ନାରୁ ସାହାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ସମସ୍ତେ ଏକ ସ୍ୱରରେ ପାଙ୍ଗାମ–ମେକ୍କା ସଂଯୋଗୀ ମୁଖ୍ୟ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ଉନ୍ନତି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *