ନାରୀ, ତୁମେ ସକଳ ସୃଷ୍ଟିର ଆଧାର
ନାରୀ, ତୁମେ ସକଳ ସୃଷ୍ଟିର ଆଧାର
ଡ. ପ୍ରେମାନନ୍ଦ ବେହେରା
ନାରୀ, ତୁମେ ପ୍ରକୃତିର ପ୍ରଥମ ପ୍ରତିଧ୍ୱନି,
ଆଦିମ ସୃଷ୍ଟିର ଗୁପ୍ତ ମନ୍ତ୍ରୋଚ୍ଚାର,
ତୁମ ଗର୍ଭଗୃହର ନିରବ ଅନ୍ଧକାରେ
ଜୀବନ ଲେଖେ ତା’ର ପ୍ରଥମ ଅଧ୍ୟାୟ
ନାରୀ, ତୁମେ ସକଳ ସୃଷ୍ଟିର ଆଧାର ।
ତୁମେ ଅନନ୍ତ ଚେତନାର ଅଭିରୂପ,
ସ୍ନେହସିନ୍ଧୁର ଅକ୍ଷୟ ସ୍ରୋତସ୍ୱିନୀ,
ନିର୍ଲିପ୍ତ ତ୍ୟାଗର ନିର୍ମଳ ଉପାଖ୍ୟାନ
ତୁମ ଅସ୍ତିତ୍ୱରେ ହୁଏ ପ୍ରତିପାଦିତ
ନାରୀ, ତୁମେ ସକଳ ସୃଷ୍ଟିର ଆଧାର ।
କେବେ ତୁମେ ଚଣ୍ଡୀର ଚରମ ଚେତନା,
କେବେ ବୀଣାପାଣିର ଜ୍ଞାନଦୀପ୍ତି,
କେବେ ଶ୍ରୀ ର ସମୃଦ୍ଧିର ସୂକ୍ଷ୍ମ ସ୍ପନ୍ଦନ
ଗୃହକୁ କର ଦିବ୍ୟତାର ଆସନ
ନାରୀ, ତୁମେ ସକଳ ସୃଷ୍ଟିର ଆଧାର ।
ପ୍ରଳୟର ପ୍ରଚଣ୍ଡ ପ୍ରବାହରେ ବି
ତୁମ ସାହସ ଅଦମ୍ୟ, ଅବିଚଳ,
ତୁମ ମନୋବଳର ଦୀପ୍ତିମାନ ଶିଖା
ଅନ୍ଧକାରକୁ କରେ ନିରାକାର
ନାରୀ, ତୁମେ ସକଳ ସୃଷ୍ଟିର ଆଧାର ।
ତୁମ ହାସ୍ୟରେ ହୁଏ ପ୍ରଭାତର ଆବିର୍ଭାବ,
ତୁମ ଅଶ୍ରୁରେ ରହିଛି ଯୁଗାନ୍ତର କଥା,
ତୁମ ବିନା ନିର୍ଜନ ଏଇ ଜଗତର ଶୃଙ୍ଗାର—
ତୁମେ ସୃଷ୍ଟିର ପରମ ପ୍ରତିଷ୍ଠା
ନାରୀ, ତୁମେ ସକଳ ସୃଷ୍ଟିର ଆଧାର ।
ନାରୀ, ତୁମେ ଆଦିଶକ୍ତି, ଚିରନ୍ତନ ସତ୍ତା,
ସୃଷ୍ଟି-ସ୍ଥିତି-ଲୟର ଗୁପ୍ତ ସୂତ୍ରଧାର,
ତୁମ ଚରଣଚିହ୍ନରେ ସମୟ ହୁଏ ପବିତ୍ର—
ତୁମେ ହେଉଛ ସମସ୍ତ ସୃଷ୍ଟିର ଆଧାର
ନାରୀ, ତୁମେ ସକଳ ସୃଷ୍ଟିର ଆଧାର ।
ପଦ୍ମପୁର, ବରଗଡ଼
