ସାପ କାମୁଡାରେ ନାବାଳିକାର ମୃତ୍ୟୁ

ଜଗନ୍ନାଥପ୍ରସାଦ:-୨୧/୧୦ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନସ୍ଥ ନୂଆ ଗୋଛାବାଡି ଗ୍ରାମ ବଡ଼ସାହିର ଦେବରାଜ ପ୍ରଧାନଙ୍କ ସାନ ଝିଅ ପିଙ୍କି ପ୍ରଧାନ(୧୭) ଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ପିଙ୍କିକୁ ଗତକାଲି ମଧ୍ୟରାତ୍ରରେ ବିଷଧର ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଶନିବାର ଦିନ ମୃତ ପିଙ୍କି ପରିବାର ସହ ଖାଇପିଇ ରାତିରେ ସୋଇଥିଲେ। ମଧ୍ୟରାତ୍ରରେ ଡାହାଣ ହାତର ମଧ୍ୟଭାଗକୁ ଆଘାତ ଲାଗିବାରୁ ହଠାତ ଉଠିଯାଇ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତର ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପିଙ୍କିକୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ପିଙ୍କିର ଓଠ, ଆଖି ଓ ଶରୀର କଳା ପଡିଯିବାରୁ କୌଣସି ଏକ ବିଷଧର ସାପ ଆଘାତ କରିବାରୁ ମୃତ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବାପା ଦେବରାଜଙ୍କ ଏତଲା କ୍ରମେ ବ୍ରହ୍ମପୁର ସ୍ଥିତ ବିଏନପୁର ପୋଲିସ ପହଂଚି ଅପମୃତ ମାମଲା ୬୬୩/୨୪ପ୍ରକାରେ ଶବକୁ ଜବତ କରିଛି। ବ୍ୟବଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ମୃତକଙ୍କ ବାପା ଦେବରାଜ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *