ପୁରୀ ବଳିଆ ପଣ୍ଡା ରେ ଯୁବକକୁ ଆକ୍ରମଣ
ପୁରୀ,୮/୧୦(ଇମିସ): ପୁରୀରେ ପ୍ରତିଶୋଧ ପରାୟଣ ଆକ୍ରମଣ: ବର୍ଷକ ତଳର ରାଗରୁ ଯୁବକଙ୍କୁ ଖଣ୍ଡା ହାଣି ଫେରାର ହେଲେ ଦୁର୍ବୃତ୍ତବଳିଆପଣ୍ଡା ଥାନା ଅଞ୍ଚଳରେ ଆଜି ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଇ ଏକ ମରଣାନ୍ତକ ଆକ୍ରମଣ ଘଟିଛି। ବର୍ଷେ ତଳର ଗଣ୍ଡଗୋଳର ରାଗ ରଖି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁ ଲୁହାଣ କରି ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ବଳିଆପଣ୍ଡା ଥାନା ଅନ୍ତର୍ଗତ ଜନମଙ୍ଗଳ ସମିତି ଲେନ୍-୨ ର ମାନସ ସେନାପତି (୩୩)। ତାଙ୍କ ମୁଣ୍ଡ ଓ ହାତକୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ରକ୍ତର ଛିଟା ପଡିରହିଥିଲା। ପୁଲିସ ଓ ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ବର୍ଷେ ତଳେ ଏକ ଟ୍ରାଭେଲ ଏଜେନ୍ସୀକୁ କେନ୍ଦ୍ର କରି ମାନସ ସେନାପତିଙ୍କ ସହ ସେହି ଅଞ୍ଚଳର ମୃତ୍ୟୁଞ୍ଜୟ ସାନ୍ୟାଲ ଓ ତାଙ୍କ ବାପାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେତେବେଳେ ମାନସ, ମୃତ୍ୟୁଞ୍ଜୟ ଓ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।ସେହି ରାଗକୁ ମନରେ ରଖି ଆଜି ମୃତ୍ୟୁଞ୍ଜୟ ଓ ତାଙ୍କର କିଛି ସହଯୋଗୀ ମିଶି ହଠାତ ମାନସଙ୍କ ଉପରେ ଆକ୍ରମଣ କରିଥିଲେ। ଖଣ୍ଡାରେ ହାଣି ଦେଇ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ ମାନସଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଭିଯୁକ୍ତ ମୃତ୍ୟୁଞ୍ଜୟ ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଘଟଣା ପରେ ଜନମଙ୍ଗଳ ସମିତି ଲେନ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
