ବନ୍ତଳା ଗ୍ରାମରେ ୧୨୮ ତମ ଶ୍ରୀ ଶ୍ରୀ ସତ୍ୟନାରାୟଣ ବାଦୀପାଲା ଉଦ୍ଘାଟିତ
ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ବନ୍ତଳା (ତାଳପଦା)ଗ୍ରାମରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ରଜ ଉପଲକ୍ଷେ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ପରିଷଦ ପକ୍ଷରୁ ଲକ୍ଷ୍ମୀ ନାରାୟଣ ପାଲା ମଣ୍ଡପରେ ଅନୁଷ୍ଠିତ ୧୨୮ ତମ ବାଦୀପାଲା ଉତ୍ସବ ୧୪ ତାରିଖ ରବିବାର ପ୍ରଥମ ରଜରେ ଉଦ୍ଘାଟିତ ହୋଇଯାଇଛି।ଏହି ଉଦ୍ଘାଟନୀ ଉତ୍ସବରେ ବଡ଼ଚଣାର ମାନ୍ୟବର ବିଧାୟକ ଅମର କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାଲାକୁ ଉଦ୍ଘାଟିତ କରିବା ସହ ପାଲା ଗାୟକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ନାନୀତ ଅତିଥିଭାବେ ପଣ୍ଡିତ ବାଗ୍ନୀ ପଦ୍ମନାଭ ତ୍ରିପାଠୀ,ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସାରଦା ପ୍ରସାଦ ମହାପାତ୍ର,ସମିତି ସଭ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ,ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନିରଞ୍ଜନ ବେହେରା,ରାମ ଚନ୍ଦ୍ର ସେଠୀ, ପୂର୍ବତନ ସମିତି ସଭ୍ୟ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଯୋଗଦେଇ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ ।ଓଡ଼ିଶାରେ ଏହି ସ୍ୱତନ୍ତ୍ର ପାଲା ସଂସ୍କୃତି ଦିନେ ଘରେ ଘରେ ପରିଚିତ ଥିଲା,ବିଶେଷ କରି ବାଦୀପାଲା ଦେଖିବାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଥିଲେ, ଅନେକ ସ୍ଥାନରେ ପାଲା ସଂସ୍କୃତି ଏବେ ବୁଡ଼ି ଯିବାକୁ ବସିଥିବା ବେଳେ,ବନ୍ତଳା(ତାଳପଦା) ଗ୍ରାମର ବହୁ ପୁରାତନ ପାଲା ଅନୁଷ୍ଠାନ,ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା ପରିଷଦ ପକ୍ଷରୁ, ଲକ୍ଷ୍ମୀ ନାରାୟଣ ମଣ୍ଡପ ଠାରେ ପ୍ରତ୍ୟେକ ବର୍ଷ ବେଶ୍ ଧୁମ୍ ଧାମ୍ ରେ ତିନି ଦିନ ଧରି ବାଦୀପାଲା ହେଇ ଆସୁଥିଲା। ଚଳିତ ବର୍ଷ ଏହା ଚାରି ଦିନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଗାୟକ ବାଣୀରତ୍ନ ଶ୍ରୀଯୁକ୍ତ ନିରଞ୍ଜନ ସ୍ୱାଇଁ ଓ ଗାୟକ ପଶ୍ଚିମ କେଶରୀ ଶ୍ରୀଯୁକ୍ତ ଅର୍ଜୁନ ଛତ୍ରିଆ ଏବଂ ତାଙ୍କ ସାଥି ମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଉଛି, ଆଖ ପାଖ ଅଞ୍ଚଳରୁ ବହୁ ପାଲା ପ୍ରେମୀ ଦର୍ଶକ ମାନେ ଏଠାକୁ ଆସି ପାଲାକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା, ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଏହି ଅନୁଷ୍ଠାନ ଆଜି ପ୍ରଯ୍ୟନ୍ତ ଚାଲି ଆସିଛି ଏବଂ ଆଗକୁ ମଧ୍ୟ ସମସ୍ତଙ୍କ ସହଯୋଗରେ ଚାଲିବ ବୋଲି ସତ୍ୟ ନାରାୟଣ ପାଲା କମିଟିର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।
