ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା

ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା,ଗଣିଆ ମେଡିକାଲରେ ଉତ୍ତେଜନା ,କାର ଏବଂ ବନ୍ଧୁକ ସହିତ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ ଗଣିଆ – ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକ ଠାରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ପତୁରିଆ ଗ୍ରାମର କୁଳମଣି ନାୟକଙ୍କ ପୁଅ ରବିନ୍ଦ୍ର କୁମାର ନାୟକ । ସେ ତାଙ୍କ ନିଜ ଗ୍ୟାରେଜରେ ବସିଥିବା ବେଳେ ଅଜଣା ଏକ ଗାଡିରେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳିକରି ଚାଲି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ଦୋକାନ ପାଖରେ ପଡି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବାଇକ୍ ଯୋଗେ ତାଙ୍କୁ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ଗୁଳି ତାଙ୍କର ଡାହାଣ ଛାତିରେ ବାଜିବା ସହିତ ପିଠି ପଟେ ବାହାରି ଯାଇଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ଗଣିଆ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମେଡିକାଲରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ମୃତକ ଯୁବକର ପରିବାର, ବନ୍ଧୁବାନ୍ଧବଙ୍କ ସମେତ ଶତାଧିକ ଲୋକ ମେଡିକାଲ ପରିସରରେ ଉପସ୍ଥିତ ଥିବା ଜଣାପଡିଛି । ଏସଡିପିଓ ସରୋଜ କୁମାର ସାହୁ,ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଦଶପଲ୍ଲା ଥାନା ଅଧିକାରୀ ବିନୟ କୁମାର ପରିଡା ପ୍ରମୁଖ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିଛନ୍ତି । ତେବେ ହତ୍ୟା କରିଥିବା ଯୁବକ ଜଣକୁ ବନ୍ଧୁକ ଏବଂ କାର ସହିତ ପୋଲିସ ଧରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ପୋଲିସ ଧରିଥିବା ଯୁବକ ସିଧାମୂଳା ଗ୍ରାମର ଦିଲ୍ଲିପ ମନ୍ତ୍ରୀ ବୋଲି ଜଣାପଡିଛି । ମୃତକ ରବିନ୍ଦ୍ରଙ୍କ ବଡ଼ ଭାଇର ହତ୍ୟା କରିଥିବା ଅଭିଯୁକ୍ତଙ୍କ ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିଲା । ଗତ ୮ ମାସ ତଳେ ସେ ତାଙ୍କ ସ୍ତ୍ରୀଙ୍କୁ ନେଇ କେଉଁ ଆଡେ ଚାଲି ଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ରବିବାର ସନ୍ଧ୍ୟାରେ ବର୍ଷା ପବନ ଯୋଗୁଁ ଅନ୍ଧାର ଥିବାରୁ ଏହାର ସୁଯୋଗ ନେଇ ହତ୍ୟାକାରୀ ହତ୍ୟାକାଣ୍ଡ କରି ସେଠାରେ ଚମ୍ପଟ ମାରିଥିଲେ । ତେବେ ଫେରାର ଥିବା ଦୁଇଜଣଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛି । ଉକ୍ତ ଘଟଣା ଜିଲ୍ଲା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତ କିଛି ଦିନ ଧରି ନୟାଗଡ ଜିଲ୍ଲାରେ ହତ୍ୟାକାଣ୍ଡ ବଢି ଚାଲିଛି । ଗତ ମେ ମାସ ୧୧ ତାରିଖରେ ଗଣିଆ – ଏରୁଣ୍ଡିପଥର ରାସ୍ତାରେ ଯୁବକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବକ ଜଣଙ୍କ କନ୍ଧମିରିଗି ଗ୍ରାମର ସଞ୍ଜୟ ପ୍ରଧାନ ବୋଲି ଜଣାପଡିଥିଲା । ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଗଣିଆରେ ବାରମ୍ବାର ଏଭଳି ଘଟଣା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *