ଚନ୍ଦ୍ରଭାଗା ସମୁଦ୍ରରେ ୧୫ ବଟଲ୍ ନୋଜ୍ ଡଲଫିନ
କୋଣାର୍କ – ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ତତ୍ୱାବଧାନରେ କୋଣାର୍କ ବନବିଭାଗ ତରଫରୁ ମଙ୍ଗଳବାର ସକାଳୁ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କେଲୁଣି ମୁହାଣ ନିକଟରୁ ରାମଚଣ୍ଡୀ ନଦୀ ମୁହାଣ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ସମୁଦ୍ର କୁଳରେ ଏହି ଗଣନା କରାଯାଇଥିଲା। କୋଣାର୍କ ବନାଞ୍ଚଳ ଅନ୍ତର୍ଗତ ଏହି ଅଞ୍ଚଳରେ ୩ଟି ଦଳରେ ୧୫ ଟି କ୍ରୀଡାରତ ବଟଲ୍ ନୋଜ୍ ଡଲଫିନ ଦେଖିବାକୁ ମିଳିଥିଲା। ଯାହା ସମୁଦ୍ର ଜଳ ରାଶିରେ ଦଳ ଗତ ଭାବେ କ୍ରୀଡ଼ା କରୁଥିଲେ। ପର୍ଯ୍ୟଟକ ମାନେ ମଧ୍ଯ ଦେଖି ଖୁସି ଅନୁଭବ କରିଥିଲେ। ବନାଞ୍ଚଳ ଅଧିକାରୀ ଶ୍ରୀ ସୁଦର୍ଶନ ଦେହୁରୀଙ୍କ ନେତୃତ୍ୱରେ ରେ ତିନୋଟି ଗଣନାକାରୀ ଦଳରେ ବନପାଳ ତପନ ନାୟକ ବନପାଳ, ଭାବଗ୍ରାହୀ ସେଠି, କାର୍ତ୍ତିକେଶ୍ୱର ମୁଣ୍ଡା, ରାକେଶ ପତି , ବନରକ୍ଷୀ ମାନସ ମୁଖି , ସସ୍ମିତା ସିଂ, ରଶ୍ମିତା ପୁଷ୍ଟିଙ୍କ ସମେତ ୧୫ ଜଣ ବିଭାଗୀୟ କର୍ମଚାରୀ ନିୟୋଜିତ ଥିଲେ। ଚନ୍ଦ୍ରଭାଗା ସମୁଦ୍ର କୁଳରେ ବିରଳ ପ୍ରଜାତିର ଡଲଫିନ ଦୃଶ୍ୟମାନ ହେବା ବହୁତ୍ ସୁନ୍ଦର୍ କଥା। କିନ୍ତୁ ବେଆଇନ୍ ଭାବେ ଚନ୍ଦ୍ରଭାଗା ଓ ରାମଚଣ୍ଡୀ ନିକଟରେ ଚାଲୁଥିବା ସ୍ପିଡ ବୋଟ, ଜେଟ୍ ସ୍କି ଆଦି ବନ୍ଦ୍ କରିବାକୁ ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାବି କରିଛନ୍ତି। ନଚେତ୍ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ସହ ଅମୂଲ୍ୟ ସମ୍ପଦ ଡଲଫିନ ମାନଙ୍କ ମୃତ୍ୟୁ କୁ ଅଟକାଇ ହେବ ନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି।
