ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ୩ୟ ରାଜ୍ୟସ୍ତରୀୟ ମାନକୀକରଣ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୧୧.୦୮.୨୦୨୬ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଉପରେ ଓଡ଼ିଶା ରାଜ୍ୟସ୍ତରୀୟ କମିଟି ( ଏସଏସସି)ର ୩ୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା ସରକାର ଏବଂ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ)ଙ୍କ ସମ୍ମିଳିତ ପ୍ରୟାସରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ମାନକୀକରଣ, ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଉପଭୋକ୍ତା ସୁରକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରମୁଖ ପଦକ୍ଷେପ ସଂପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ପୂର୍ତ୍ତ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ୍ ରାଜପୁତ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଧବ ଙ୍କ ସମେତ ଓଡ଼ିଶା ସରକାରଙ୍କ ଅନ୍ୟ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ । ବୈଠକରେ ଭୁବନେଶ୍ୱରସ୍ଥିତ ବିଆଇଏସର ବରିଷ୍ଠ ନିର୍ଦ୍ଦେଶକ ଓ ମୁଖ୍ୟ ଶ୍ରୀ ଏ.କେ. ପୁରୋହିତ ଓଡ଼ିଶାରେ ମାନକୀକରଣ ଓ ଗୁଣବତ୍ତାକୁ ସୁଦୃଢ଼ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପ୍ରମୁଖ ପଦକ୍ଷେପ ଏବଂ ସହଯୋଗର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେ । ଏହା ସହିତ, କୋଲକାତାସ୍ଥିତ ବିଆଇଏସ ପରୀକ୍ଷାଗାରର ଶ୍ରୀ ଏ. ଚାଟାର୍ଜୀ ରାଜ୍ୟ ସରକାରଙ୍କ ପରୀକ୍ଷାଗାର ଏବଂ କମନ୍ ଫ୍ୟାସିଲିଟି ସେଣ୍ଟର ( ସିଏଫସି)ଗୁଡ଼ିକର ପରୀକ୍ଷଣ ସୁବିଧାର ସଂପ୍ରସାରଣ, ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ବିଆଇଏସ୍ ଲାବୋରେଟୋରୀ ଆସିଷ୍ଟାନ୍ସ ସ୍କିମ୍ ସମ୍ପର୍କରେ ଆଲୋକପାତ କରିଥିଲେ । କମିଟି ପକ୍ଷରୁ ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଓ୍ୱାଟକୋ, ବିଭିନ୍ନ ବିଦ୍ୟୁତ୍ ବିତରଣ କମ୍ପାନୀ, କୃଷି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ, ନଗର ଉନ୍ନୟନ, ଜଳ ସମ୍ପଦ ଏବଂ ମହିଳା ଓ ଶିଶୁ ବିକାଶ ଭଳି ପ୍ରମୁଖ ବିଭାଗର ଅଧିକାରୀମାନଙ୍କ ପାଇଁ ବିଆଇଏସ୍ ର ପରାମର୍ଶକ୍ରମେ ଭାରତୀୟ ମାନକ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ, ପୂର୍ତ୍ତ ବିଭାଗର ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟରମାନଙ୍କ ପାଇଁ ମାନକୀକରଣ ଉପରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସମାନ ପ୍ରକାରର କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ପାଇଁ ମଧ୍ୟ ଆୟୋଜନ କରାଯିବାକୁ ପରାମର୍ଶ ଦିଆଯାଇଛି । କମିଟି ମଧ୍ୟ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀ ଏବଂ ମଧୁସୁଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ମାନକୀକରଣ ଏବଂ ଗୁଣବତ୍ତା ପରିବେଶକୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ସରକାରୀ କ୍ରୟ ପ୍ରକ୍ରିୟାରେ ଗୁଣବତ୍ତାକୁ ପ୍ରାଥମିକତା ଦେଇ, ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରଯୁଜ୍ୟ ଭାରତୀୟ ମାନକ ( ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ)ଗୁଡ଼ିକୁ ସନ୍ଦର୍ଭ ଭାବେ ଗ୍ରହଣ କରିବା, ବିଆଇଏସ୍ ୱେବସାଇଟ୍ରୁ ଏହି ମାନକଗୁଡ଼ିକୁ ଡାଉନଲୋଡ୍ କରିବା ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ, ଭାରତୀୟ ମାନକ ଏବଂ ସମ୍ପର୍କିତ ସୂଚନାକୁ ସହଜ ଓ ନିରବିଚ୍ଛିନ୍ନ ଭାବରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ପୋର୍ଟାଲଗୁଡ଼ିକୁ ବିଆଇଏସ୍ ୱେବସାଇଟ୍ ସହିତ ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍(ଏପିଆଇ) ଆଧାରିତ ଏକୀକରଣ ସମନ୍ୱିତ କରିବା ସଂପର୍କିତ ଅନୁସନ୍ଧାନ କରିବାକୁ କମିଟି ପରାମର୍ଶ ଦେଇଛନ୍ତି । ଉପଭୋକ୍ତା ସଶକ୍ତୀକରଣ ପାଇଁ ବିଆଇଏସ୍ କେୟାର ଆପ୍ର ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ କମିଟି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆପ୍ ମାଧ୍ୟମରେ ଏଚୟୁଆଇଡି (ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ) ଏବଂ ଆଇଏସଆଇ ମାର୍କର ସତ୍ୟାପନ, ଭାରତୀୟ ମାନକ ସମ୍ପର୍କିତ ସୂଚନା ପ୍ରାପ୍ତି, ପରୀକ୍ଷଣ ପରୀକ୍ଷାଗାର ଚିହ୍ନଟ ଏବଂ ନିମ୍ନମାନର ଉତ୍ପାଦ ଓ ସେବା ବିରୋଧରେ ଅଭିଯୋଗ ଦାଖଲ କରିବାର ସୁବିଧା ଉପଲବ୍ଧ ରହିଛି । ଏଥିସହିତ, ଗହଣା ଦୋକାନଗୁଡ଼ିକରେ ବିଆଇଏସ୍ କେୟାର ଆପ୍ ସମ୍ପର୍କିତ ସୂଚନାକୁ ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନିରାପଦ ଓ ବିଶ୍ୱସନୀୟ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ପାଇଁ, କମିଟି ଓ୍ୱାଟକୋ ଏବଂ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ପରିଚାଳନା ସମ୍ପର୍କିତ ବିଆଇଏସ୍ ମାନକ ଆଇଏସ୍ ୧୭୪୮୨: ୨୦୨୦ କୁ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରି ଏହାର ପ୍ରମାଣପତ୍ର ହାସଲ ପାଇଁ ପଦକ୍ଷେପ ନିଆଯିବାକୁ ଆଲୋଚନା ହୋଇଛି । ଲିଫ୍ଟ ସୁରକ୍ଷା ସମ୍ପର୍କରେ, ଭାରତୀୟ ମାନକଗୁଡ଼ିକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ଉପଯୁକ୍ତ ନିୟମ ଓ ନିୟମାବଳୀ ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ କମିଟି ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଓଡ଼ିଶାରେ ଭାରତୀୟ ମାନକ ବ୍ୟୁରୋର ଏକ ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ପରୀକ୍ଷାଗାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷାଗାର ପ୍ରତିଷ୍ଠା ପ୍ରକ୍ରିୟାକୁ ପ୍ରାଥମିକତା ଭିତ୍ତିରେ ଆଗେଇ ନେବା ସହିତ କାର୍ଯ୍ୟାଳୟ ଓ ପରୀକ୍ଷାଗାରକୁ ଏକ ସମନ୍ୱିତ ପରିସର (ଇଣ୍ଟିଗ୍ରେଟେଡ୍ କମ୍ପ୍ଲେକ୍ସ ) ଭାବେ ବିକଶିତ କରିବାକୁ ବୈଠକରେ ଯୋଜନା କରାଯାଇଛି । ଓଡ଼ିଶାରେ ବୃହତ୍ ଇସ୍ପାତ ଓ ଆଲୁମିନିୟମ ଶିଳ୍ପ ଥିବାରୁ, ସୁନା, ରୂପା ସହିତ ଇସ୍ପାତ ଓ ଆଲୁମିନିୟମ ପରୀକ୍ଷଣ ପାଇଁ ଏପରି ଅତ୍ୟାଧୁନିକ ପରୀକ୍ଷାଗାର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା ପାଇଁ ବିଆଇଏସକୁ ବିଶେଷ ଭାବେ ପରାମର୍ଶ ଦିଆଯାଇଛି । କମିଟି ସ୍କୁଲ ଓ କଲେଜ୍ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାଣ୍ଡାର୍ଡସ୍ କ୍ଲବ୍ଗୁଡ଼ିକୁ ସୁଦୃଢ଼ କରିବା ଏବଂ ଏହି କ୍ଲବ୍ଗୁଡ଼ିକରେ ବିଆଇଏସ୍ ସଚେତନତାମୂଳକ ବିଭିନ୍ନ କାର୍ଯ୍ୟକଳାପ ଓ ଶିକ୍ଷଣୀୟ ପରିଦର୍ଶନ କୁ ଔପଚାରିକ ଭାବେ ସ୍ୱୀକୃତି ପ୍ରଦାନ କରିବାର ଆବଶ୍ୟକତା ଉପରେ କମିଟିର ପରାମର୍ଶକୁ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । କମିଟି ରାଜ୍ୟ ସରକାରଙ୍କ ପରୀକ୍ଷାଗାର ଏବଂ କମନ୍ ଫ୍ୟାସିଲିଟି ସେଣ୍ଟର ଗୁଡ଼ିକରେ ପରୀକ୍ଷଣ ସୁବିଧାର ବିସ୍ତାର, ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ବିଆଇଏସ୍ ଲାବୋରେଟୋରୀ ଆସିଷ୍ଟାନ୍ସ ସ୍କିମ୍ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କମିଟି ଏମଏସଏମଇଗୁଡ଼ିକୁ ବିଆଇଏସ୍ ପକ୍ଷରୁ ଦିଆଯାଉଥିବା ସହାୟତା ସମ୍ପର୍କରେ ଅବଗତ ହୋଇଥିଲେ । ଏମଏସଏମଇଗୁଡ଼ିକ ପାଇଁ ଶୁଳ୍କରେ ୮୦% ରିହାତି ପ୍ରଦାନ ସହିତ, ନିଜସ୍ୱ ଇନ୍-ହାଉସ୍ ପରୀକ୍ଷଣ ସୁବିଧା ରଖିବାର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯାଇଥିବା ବିଷୟକୁ କମିଟିରେ ସୂଚନା ଦିଆଯ।ଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବୈଠକରେ ମାନକୀକରଣର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଉତ୍ପାଦ ଓ ସେବାର ଗୁଣବତ୍ତା, ସୁରକ୍ଷା, ବିଶ୍ୱସନୀୟତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ମାନକୀକରଣ ଏକ ମୌଳିକ ଆଧାର । ବିଶେଷକରି ସରକାରୀ କ୍ରୟ, ଭିତ୍ତିଭୂମି ଏବଂ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଏହା ଏକ ସାଧାରଣ ମାନଦଣ୍ଡ ପ୍ରଦାନ କରିଥାଏ । ସେ ଭାରତୀୟ ମାନକ ( ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ) ଏବଂ ଏହାର ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ସରକାରୀ ଅଧିକାରୀ, ଶିଳ୍ପ ସଂସ୍ଥା, ସେବା ପ୍ରଦାନକାରୀ ଏବଂ ଉପଭୋକ୍ତାମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ, ଭାରତୀୟ ମାନକଗୁଡ଼ିକର ପ୍ରଭାବଶାଳୀ ଗ୍ରହଣ ଓ କାର୍ଯ୍ୟାନ୍ୱୟନ ପାଇଁ ବିଆଇଏସ୍ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ବ୍ୟାପକ ଗୁଣବତ୍ତା-ସଚେତନ ପରିବେଶ ଗଠନ କରିବା ପାଇଁ ମାନକୀକରଣ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକଳାପକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଜୋର ଦେଇଥିଲେ । ଓଡ଼ିଶାରେ ବିଆଇଏସ୍ ର ପ୍ରତିଷ୍ଠାନଗତ ଓ ପରୀକ୍ଷଣ ଭିତ୍ତିଭୂମିର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ପରୀକ୍ଷଣ ସୁବିଧା ରାଜ୍ୟର ବିକାଶଶୀଳ ଶିଳ୍ପ, ଉତ୍ପାଦନ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଆବଶ୍ୟକ ସହାୟତା ପ୍ରଦାନ କରିବ । ଏହାଦ୍ୱାରା ଦ୍ରୁତ ପରୀକ୍ଷଣ, ପ୍ରମାଣପତ୍ର ପ୍ରଦାନ ଓ ଗୁଣବତ୍ତାକୁ ସୁନିଶ୍ଚିତ କରାଯାଇପାରିବା ସହିତ, ରାଜ୍ୟ ବାହାରର ପରୀକ୍ଷାଗାର ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ । ମୁଖ୍ୟ ଶାସନ ସଚିବ ଓଡ଼ିଶାରେ ମାନକୀକରଣ ଓ ଗୁଣବତ୍ତା ସମ୍ପର୍କିତ ପ୍ରଗତିର ସମୀକ୍ଷା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବିଚାରବିମର୍ଶ କରିବା ପାଇଁ ବର୍ଷକୁ ଅତି କମ୍ରେ ଦୁଇଥର ରାଜ୍ୟସ୍ତରୀୟ କମିଟି ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
