ମହାକାଶରେ ବିବାହ କରିବେ ବେଜୋସ୍‌

ପ୍ୟାରିସ୍‌: ଆମାଜନ୍‌ର ସମ୍ପାଦକ ୫୯ ବର୍ଷୀୟ ଜେଫ ବେଜୋସ୍‌ ନିଜ ରିଲେଶନକୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ଏବେ ସେ ବିବାହ କରିବାକୁ ଯାଉଥିବା ଖବର ମିଳିଛି। ତେବେ ଏହି ବିବାହ ସମସ୍ତଙ୍କ ବିବାହଠାରୁ ଭିନ୍ନ ହେବ। କାରଣ ସେ ମହାକାଶରେ ବିବାହ କରିବେ ବୋଲି ଜଣାପଡ଼ିଛି। ମହାକାଶରେ ବିବାହ କରିବାର ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ। ଜେଫ ପୂର୍ବରୁ ମଧ୍ୟ ମହାକାଶ ଯାତ୍ରା କରିଛନ୍ତି। ୨୦୨୧ରେ ପଶ୍ଚିମ ଟେକ୍ସାସର ମରୁଭୂମି ଅଞ୍ଚଳରୁ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ନ୍ୟୁ ସେପାର୍ଡ ରକେଟ୍‌ରେ ମହାକାଶ ଯାତ୍ରା କରିଥିଲେ। ସେ ସେଠାରେ ୧୦ ମିନିଟ୍‌ ସମୟ ଅତିବାହିତ କରିଥିଲେ। ଜେଫ ମେ’ ୨୨ରେ ଏମି ପୁରସ୍କାର ବିଜେତା ଖବରଦାତା ତଥା ହେଲିକପ୍ଟର ପାଇଲଟ୍‌ ୫୩ ବର୍ଷୀୟା ଲରେନ ସାନଞ୍ଜେଜ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି। କାନ୍ସର ପାଲ୍ମ ସମୁଦ୍ର କୂଳରେ ଥିବା ଲା ପେଟିଟି ମଇସନ୍‌ ରେଷ୍ଟୁରାଣ୍ଟରେ ଏହା ଧୁମଧାମରେ ସରିଛି। ସେଥିରେ ଯୋଡ଼ି ୪,୨୮୫ ଡଲାର ଅର୍ଥାତ୍‌ ୩ଲକ୍ଷ ୫୪ ହଜାର ଟଙ୍କାର ମଦ ପିଇଥିବା ଜଣାପଡ଼ିଛି। ଏହି ଅବସରରେ ଲରେନଙ୍କୁ ଜେଫ ୨୦ କ୍ୟାରେଟ୍‌ର ହୀରା ମୁଦି ପିନ୍ଧାଇଥିଲେ। ଜୁଏଲେରୀ କମ୍ପାନୀ ମୁତାବକ, ସେହି ମୁଦିର ମୂଲ୍ୟ ୩ ମିଲିୟନରୁ ୫ ମିଲିୟନ ହେବ, ଅର୍ଥାତ୍‌ ୪୧ କୋଟି ହେବ। ନିର୍ବନ୍ଧରେ ତାଙ୍କ ପରିବାର ଲୋକେ ସାମିଲ ହୋଇଥିଲେ। ସେଠାରେ ବହୁତ ବଡ଼ ଆକାରର ନାଚ ଗୀତର ଆୟୋଜନ ମଧ୍ୟ ହୋଇଥିଲା। ନିର୍ବନ୍ଧ ସରିବା ପରେ ସେମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ତା’ର ମଜା ଉଠାଇଥିଲେ। ତେବେ ଜେଫ ଏବଂ ଲରେନ ୨୦୧୮ରୁ ଦୁହିଁଙ୍କୁ ଡେଟିଂ କରୁଥିବାବେଳେ ୨୦୧୯ ଜୁଲାଇ ୧୪ରେ ତାଙ୍କ ସମ୍ପର୍କକୁ ସମସ୍ତଙ୍କ ସମ୍ମୁଖକୁ ଆଣିଥିଲେ। ଏହା ପୂର୍ବରୁ ଜେଫ ତାଙ୍କ ପ୍ରଥମ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *