ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସମ୍ପର୍କରେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଥିବା ନବୀନ କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ତୁରନ୍ତ ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟା ରେ ବାହାନଗା ଠାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଖାପାଖି ତିନିଶହ ମୃତ୍ୟୁ ସହିତ ହଜାର ଆହତ ହୋଇଛନ୍ତି, ଯାହାକି ବିଗତ ଦୁଇ ଦଶନ୍ଧି ମଧ୍ୟରେ, ରେଳଦୁର୍ଘଟଣା ମଧ୍ୟରେ ସବୁଠାରୁ ବଡ ଦୁର୍ଘଟଣା। ଏହି ଦୁର୍ଘଟଣାଟି ଏପରି ଭୟାନକ ଥିଲା ଯାହାକି ସେହି ଦୁର୍ଘଟଣା ସ୍ଥାନଟିର ଫୋଟୋଚିତ୍ର ଏବଂ ଭିଡ଼ିଓ ସହିତ ସେଠାରେ ଥିବା ଦେଖଣାହାରୀ ମାନଙ୍କର ବୟାନରୁ ସ୍ପର୍ଶ ଜଣାପଡେ ଏବଂ ଏହି ଦୁର୍ଘଟଣାଟି ସମସ୍ତ ଓଡ଼ିଶାର ରାଜ୍ୟବାସୀ ମାନଙ୍କ ସହିତ ସମଗ୍ର ଭାରତବାସୀଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। ଏହି ରେଳ ବିଭୀଷିକା ସାରା ବିଶ୍ୱକୁ ବିଚଳିତ କରିଦେଇଛି। ବିଭିନ୍ନ ମହଲରୁ ଦୁଃଖ ପ୍ରକାଶ ସହ ସମବେଦନାର ସୁଅ ଛୁଟୁଛି।
