ବ୍ରହ୍ମଗିରି ସମେତ ପୁରୀ ଜିଲ୍ଲାର ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସଂପର୍କିତ ବୈଠକ ଅନୁଷ୍ଠିତ
ପୁରୀ- ତା.୧୬.୦୭.୨୦୨୧-ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ଯାୟ ଯୋଡିବା ଲକ୍ଷରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଗତୀକରଣ ଯୁଗରେ ଶିକ୍ଷାନୁଷ୍ଠାନ ଗୁଡିକରେ ଉନ୍ନତ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀସଦର ସମେତ ଜିଲ୍ଲାର ବିଭିନ୍ନ ଉଚ୍ଚବିଦ୍ୟାଳୟ ଗୁଡିକୁ ୫-ଟି ରେ ସାମିଲ କରିବା ନିମନ୍ତେ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି । ଉକ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରିବା ନିମନ୍ତେ କାର୍ଯ୍ୟକ୍ରମକୁ କିଭଳି ଆଗେଇ ନିଆଯାଇ ପାରିବ ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସେହି ହାଇସ୍କୁଲ ଗୁଡିକ ହେଲା କୃଷ୍ଣପ୍ରସାଦ ବ୍ଲକର ବଡଝାଡସ୍ଥିତ କମଳେଶ୍ବର ନୋଡାଲ ବିଦ୍ୟାପୀଠ, ସିଆଣ୍ତିର ସାନସୀମା ନୋଡାଲ ହାଇସ୍କୁଲ, ଓରା, ପଣସପଦାର ହରିହର ବିଦ୍ୟାପୀଠ ରହିଥିବା ବେଳେ ବ୍ରହ୍ମଗିରିର ମଣପଡାର ମଦନ ମୋହନ ହାଇସ୍କୁଲ, କୁଷୁବେଣ୍ଟିର ରାଧାମୋହନ ବିଦ୍ୟାପୀଠ, ଭୁବନପୁରର କୃଷକ ବିଦ୍ୟାପୀଠ, ସୁନାମୁହିଁ, ରାୟବିଧାର ର ଗଙ୍ଗାଧର ବିଦ୍ୟାପୀଠ,ଭଣ୍ତାରିକୁଦା, ଖଜୁରିଆର ବାଲିଙ୍କେଶ୍ବର ନୋଡାଲ ବିଦ୍ୟାପୀଠ, ବ୍ରହ୍ମଗିରିର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ,ପୁରୀ ସଦର ବ୍ଳକର ଭାର୍ଗବୀ ହାଇସ୍କୁଲ, ବୀରନରସିଂହପୁର, ବାସୁଦେବପୁ୍ରର କନକଦୁର୍ଗା ହାଇସ୍କୁଲ ଅନ୍ତର୍ଭୁକ୍ତ । ବ୍ରହ୍ମଗିରି ଶୈକ୍ଷିକ ବିକାଶରେ ସ୍ମାର୍ଟ କ୍ଲାସରୁମ ଭଳି ଆବଶ୍ୟକତା ଥିବାବେଳେ ଏହି ଯୋଜନା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ନୂତନ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡିବାରେ ସହାୟକ ହେବ । କେବଳ ନୂତନ ଭିତ୍ତିଭୂମି ନୁହେଁ ଶିକ୍ଷା ବ୍ୟବସ୍ଥାରେ ଯେଉଁ ବୈପ୍ଲବିକ ଓ ନୂଆ ଆହ୍ବାନ ଆସିଛି ତାକୁ ସମ୍ମୁଖୀନ ହେବା ସହ ମାଧ୍ୟମିକ ଶିକ୍ଷା ରୂପାନ୍ତରିତ କରିବାରେ କେବଳ ସହାୟକ ହେବ ନାହିଁ ବରଂ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ହେବ ବୋଲି ଶ୍ରୀ ଦାସବର୍ମା ଉକ୍ତ ବୈଠକରେ ପ୍ରକାଶ କରିଛନ୍ତି ।
ପ୍ରମୁଖ ଭାବରେ ୫ ଟି ଅଧିନରେ ସ୍ମାର୍ଟ ଶ୍ରେଣୀଗୃହ, ଶୌଚାଳୟ, ପାଠାଗାର, ପରୀକ୍ଷାଗାର, ଖେଳପଡିଆ, ବିଦ୍ୟାଳୟ ବାତାବରଣ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧିନରେ ବିଦ୍ୟାଳୟ ରୂପାୟନ ମାଧ୍ୟମରେ ପାଚେରୀ ନିର୍ମାଣ, ପାନୀୟ ଜଳ, ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯିବ । ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉଚ୍ଚାଭିଳାଷୀ ପ୍ରକଳ୍ପ ହୋଇଥିବାରୁ ଏ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି ।
ଉକ୍ତ ବୈଠକରେ କୃଷ୍ଣପ୍ରସାଦ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ରବିନ୍ଦ୍ର କୁମାର ଜେନା, ବ୍ରହ୍ମଗିରି ବିଇଓ ଶ୍ରୀ କବିରାଜ ଜେନା, ପୁରୀ ସଦର ବିଇଓ ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କୈଳାଶ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
