ଜଗନ୍ନାଥପ୍ରସାଦ ସୈରାତର ଶୁଣାଣୀ ଘୁଞ୍ଚିଗଲା ବୈଷୟିକ କମିଟି ରିପୋର୍ଟ ପ୍ରଦାନ ବିଳମ୍ବକୁ ସନ୍ଦେହ
ଭଣ୍ଡାରିପୋଖରୀ,୨୮/୭: ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ଆବେଦନ ଶୁଣାଣୀ ବୁଧବାର ଜିଲ୍ଲାପାଳଙ୍କ ଇଜିଲାସ ହୋଇ କୌଣସି ନିଷ୍ପତ୍ତି ବିନା ମୁଲତବୀ ରହିଛି । ସୈରାତ ବାତିଲ ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ବୈଷୟିକ କମିଟି ଗଠନ କରାଯାଇ ରିପୋର୍ଟ ଲୋଡାଯାଇଥିଲା । ପରିବେଶ, ଭୂତତ୍ତ୍ୱ, ଖଣି, ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଗଠିତ ବୈଷୟିକ କମିଟି ଗତ ୫ ତାରିଖରେ ସରଜମିନ ଅନୁଧ୍ୟାନ କରିଥିଲେ । ଆବେଦନକାରୀ ସୁଧିର ଜେନାଙ୍କ ଆବେଦନ ଉପରେ ପ୍ରଥମ ଶୁଣାଣୀ ଗତ ୧୪ ତାରିଖରେ ହୋଇଥିଲା । ବୈଷୟିକ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇ ପରବର୍ତ୍ତି ଶୁଣାଣୀ ତାରିଖ ଧାର୍ଯ୍ୟ କରାଯାଇଥିଲା । ମାତ୍ର ବାଲିଉଠାଣକୁ ସ୍ଥଗିତ ରଖାଯାଇଥିଲା । ଅନୁରୂପ ଭାବେ ଆଜି ବୈଷୟିକ କମିଟି ରିପୋର୍ଟ ଅପେକ୍ଷା କରାଯାଇ ଶୁଣାଣୀକୁ ମୁଲତବୀ କରାଯାଇଛି । ଆଜି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି ନିରାକାର ଜେନା ସୈରାତ ନିଲାମଧାରୀ ପକ୍ଷରୁ ଗ୍ରାମ୍ୟଜଙ୍ଗଲ ଜମିରେ ଗୃହ ନିର୍ମାଣ ଅଭିଯୋଗ ସତ୍ତ୍ୱେ କେଉଁ ଆଧାରରେ କରାଯାଉଛି ବୋଲି ଜିଲ୍ଲାପାଳଙ୍କ ଇଜିଲାସରେ ଦର୍ଶାଇଥିଲେ । ଅନ୍ୟପକ୍ଷରେ ବୈଷୟିକ କମିଟି ରିପୋର୍ଟକୁ ମନ୍ଦ ଉଦ୍ଦେଶ୍ୟ ରଖି କାଳକ୍ଷେପଣ କରାଯାଉଛି ବୋଲି ଆବେଦନକାରୀ ସନ୍ଦେହ ପ୍ରକାଶ କରିଛନ୍ତି । ବୈଷୟିକ କମିଟି ରିପୋର୍ଟକୁ ନିଲାମଧାରୀଙ୍କ ସପକ୍ଷରେ ନେବା ପାଇଁ ଚକ୍ରାନ୍ତ ଚାଲିଛି ବୋଲି ଆବେଦନକାରୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ ।
