ବଳରାମପ୍ରସାଦରେ ବରିଷ୍ଠ ନାଗରିକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଖଣ୍ଡପଡ଼ା ବ୍ଲକ୍ ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ୭୫ତମ ସ୍ଵାଧୀନତା ଦିବସ ଅବସରରେ ଗ୍ରାମର ଯୁବସଂଗଠନ “ବଳରାମପ୍ରସାଦ ବିକାଶ ପରିଷଦ”ଆନୁକୁଲ୍ୟରେ ୮୦ଜଣ ବୃଦ୍ଧବୃଦ୍ଧାଙ୍କୁ ନୂଆ ବସ୍ତ୍ରପ୍ରଦାନ ଏବଂ ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସାହିତ୍ୟ, ସମାଜସେବା, ସ୍ଵାସ୍ଥ୍ୟସେବା, ସାମ୍ବାଦିକତାଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୫ଜଣ ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ମାନପତ୍ର ସହ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିକାଶ ପରିଷଦର ସଭାପତି ପଣ୍ଡିତ ବନମାଳୀ ମିଶ୍ରଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ନାଟ୍ୟକାର ତଥା ଶ୍ରମିକନେତା ବିଶ୍ଵନାଥ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବଳରାମପ୍ରସାଦର ସଂସ୍କୃତି,ପରମ୍ପରା,ଐତିହ୍ୟର ଭୂୟସୀ ପ୍ରଶଂସା କରିବା ସହ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ପନ୍ଦାରୀ ପଶ୍ଚିମିରାଙ୍କ ସ୍ମୃତିଚାରଣ କରିଥିଲେ। ବରିଷ୍ଠ ଜିଲ୍ଲାପରିଷଦ ସଭ୍ୟ ବାଗ୍ମୀ ରାଜନେତା ରାମେଶ୍ବର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁରାଣ ପ୍ରସିଦ୍ଧ “ସର ଜଳାଶୟ” ଜିଲ୍ଲାର ଏକ ଅନନ୍ୟ ପ୍ରାକୃତିକ ସମ୍ପଦ ବୋଲି ପ୍ରକାଶ କରିବାସହ ଏହାର ପୁନରୁଦ୍ଧାର ପାଇଁ ସବୁପ୍ରକାର ଚେଷ୍ଟା କରିବକୁ ପ୍ରତିଶ୍ରୁତି ଦେଇଥିଲେ। କଣ୍ଟିଲୋ ଡାକ୍ତରଖାନାର ଡାକ୍ତର ମାନସ ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ।ପରିଷଦର ଆବାହକ ବିରୁପାକ୍ଷ ମିଶ୍ର ସଂଯୋଜନା କରିଥିବାବେଳ ସାମ୍ବାଦିକ ଡା.ବସୁଦେବ ମହାନ୍ତି ଅତିଥିପରିଚୟ,ସ୍ଵାଗତଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଦଣ୍ଡପାଣି ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *