ସୁପ୍ରିମକୋର୍ଟରେ ଆନ୍ଧ୍ର ସରକାରଙ୍କ ଜବାବ, ରାୟ ନଥିଲା ତେଣୁ ଅବମାନନା ହୋଇନାହିଁ

ଭୁବନେଶ୍ବର: କୋଟିଆ ଅଞ୍ଚଳ ଓଡ଼ିଶାର ନୁହେଁ ବରଂ ଆନ୍ଧ୍ରପ୍ରଦେଶର ବୋଲି ବିଜୟନଗରମ ଜିଲ୍ଲାପାଳ ସୁପ୍ରିମକୋର୍ଟରେ  ଦର୍ଶାଇଛନ୍ତି।  କୋଟିଆକୁ ନେଇ ୨୦୦୬ରେ ସୁପ୍ରିମକୋର୍ଟଙ୍କର କୌଣସି ରାୟ ନଥିଲା ତେଣୁ ଉଲ୍ଲଂଘନ ହୋଇନାହିଁ  ବୋଲି ସେ ଦର୍ଶାଇବା ସହ ଓଡ଼ିଶା ପକ୍ଷରୁ କରାଯାଇଥିବା ଅଦାଲତ ଅବମାନନା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଆନ୍ଧ୍ରପ୍ରଦେଶ ବିଜୟନରଗମ ଜିଲ୍ଲାର ଜିଲ୍ଲାପାଳ ହରିଜବାହରଲାଲ  ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ  ଓଡ଼ିଶାର ଅଭିଯୋଗକୁ ମିଛ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, କୋଟିଆକୁ ନେଇ ୧୯୬୮ ମସିହାରେ  ହୋଇଥିବା ମାମଲା ଉପରେ ୨୦୦୬  ମସିହା ମାର୍ଚ୍ଚ ୩୦ ତାରିଖରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ମୂଳ ମାମଲାଟିକୁ ହିଁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ସମ୍ବିଧାନର ଧାରା ୧୩୧ ଅନୁଯାୟୀ ଓଡ଼ିଶାର ସେହି ମାମଲାଟିକୁ  ସୁପ୍ରିମକୋର୍ଟ  ଖାରଜ କରିଦେଇଛନ୍ତି। ତେଣୁ ଏହାକୁ ନେଇ ସୁପ୍ରିମକୋର୍ଟଙ୍କର କୌଣସି ରାୟ ନାହିଁ।

ସତ୍ୟପାଠରେ  ବିଜୟନଗରମ ଜିଲ୍ଲାପାଳ  ଦର୍ଶାଇଛନ୍ତି ଯେ, ୨୦୦୬ ଶୁଣାଣୀ ପରେ  ଓଡ଼ିଶା ପକ୍ଷରୁ ଏକ ରାଜିନାମା ପାଇଁ  ଆବେଦନ କରାଯାଇଥିଲା। ସେତେବେଳେ  ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇଥିଲେ । ଉଭୟ  ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ  ସେହି ସ୍ଥାନରେ ସ୍ଥିତାବସ୍ଥା ରଖିବାକୁ ସେହି ରାଜିନାମା କରାଯାଇଥିଲା ଏବଂ ସୁପ୍ରିମକୋର୍ଟ ତାହାକୁ ରେକର୍ଡଭୁକ୍ତ କରିଥିଲେ । କିନ୍ତୁ ମୂଳ ମାମଲାଟିକୁ ଅଦାଲତ ଖାରଜ କରିଦେଇଥିଲେ । ସେତେବେଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ନଥିଲା। ତେଣୁ ସୁପ୍ରିମକୋର୍ଟଙ୍କୁ ଅବମାନନା କରାଯିବାର ପ୍ରଶ୍ନ ଉଠୁନାହିଁ।

ନିଜ ପକ୍ଷ ରଖି ସେ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଆଇନ ଅନୁଯାୟୀ ୧୯୫୨ ମସିହାରୁ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ନିର୍ବାଚନ କରାଉଛନ୍ତି। ଗଞ୍ଜେୟ ଭଦ୍ରା (ଗଞ୍ଜେଇପଦର), ପଟୁଚେନାରୁ (ପାଟୁସିନେରୀ) ଏବଂ ପାଗୁଳୁଚେନା(ଫଗୁଣସିନେରୀ) ଗାଁରେ  ନିର୍ବାଚନ କରାଯାଉଛି। ଏହିସବୁ ଗାଁ ଆନ୍ଧ୍ରପ୍ରଦେଶର ଆରଖୁ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ସାଲୁରୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି। ୧୯୫୨ ମସିହାରୁ ଗ୍ରାମବାସୀମାନେ ଲୋକସଭା ଓ ବିଧାନସଭା ଲାଗି ମତଦାନ କରିଆସୁଛନ୍ତି। ସେହିଭଳି ପଞ୍ଚାୟତିରାଜ ଆଇନ ହେଲା ପରେ ମଧ୍ୟ ସେଠାରେ ପଞ୍ଚାୟତ ଭୋଟ କରାଯାଉଛି। ୨୦୦୬ ଓ ୨୦୧୩ରେ ଆନ୍ଧ୍ର ସରକାର ସେଠାରେ ପଞ୍ଚାୟତ ଭୋଟ କରିଛନ୍ତି।

୨୦୦୬ ଓ ୨୦୧୩ରେ ପଞ୍ଚାୟତ ଭୋଟରେ ଯେଉଁମାନେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କ ନାଁ ଉଲ୍ଲେଖ କରି ଜିଲ୍ଲାପାଳ ଲେଖିଛନ୍ତି ଯେ,  ୨୦୦୬ରେ ପାଗୁଳୁଚେନାରୁ ଗ୍ରାମରେ ଜୋଡିପାଲ୍ଲୀ ବିରୁସୁ  ୩୭୧ ଖଣ୍ଡ ଭୋଟ ପାଇ ସରପଞ୍ଚ ହୋଇଥିଲେ । ସେହିପରି ଗଞ୍ଜେୟ ଭଦ୍ରାରେ ଗେମେଲା ବିଶୁ ୮୦୮ଖଣ୍ଡ ଏବଂ ପାଟୁଚେନାରୁରେ ସିଦ୍ଧା ରପୁ ବଣ୍ଡାମା ୭୪୦ ଖଣ୍ଡ ଭୋଟ ପାଇ ସରପଞ୍ଚ ହୋଇଥିଲେ । ୨୦୧୩ରେ ସେହିଭଳି ପାଗୁଳୁ ଚେନାରୁରେ ଯୋଡିପାଲ୍ଲୀ ଗେଣ୍ଡମା, ଗଞ୍ଜେୟ ଭଦ୍ରାରେ ଗେମଲା ସନ୍ୟସାମା ଓ ପାଟୁଚେନାରୁରେ କୋଣ୍ଡାପାଲ୍ଲୀ ଟି ଡି ଥାଲମା  ଯଥାକ୍ରମେ ୩୬୩, ୬୫୮ ଓ ୫୪୭ ଖଣ୍ଡ ଭୋଟ ପାଇ ସରପଞ୍ଚ ହୋଇଥିଲେ ।

ଉପରୋକ୍ତ  ଯୁକ୍ତି ଦର୍ଶାଇ ବିଜୟନରଗମ ଜିଲ୍ଲାପାଳ ସତ୍ୟପାଠରେ  ଉଲ୍ଲେଖ କରିଛନ୍ତି ଯେ, ଗଞ୍ଜେୟଭଦ୍ରା (ଗଞ୍ଜେଇପଦର), ପାଗୁଳୁଚେନାରୁ (ଫଗୁଣସିନେରୀ) ଓ ପାଟୁଚେନାରୁ (ପାଟୁସିନେରୀ) ଆନ୍ଧ୍ର ପ୍ରଦେଶର ଅଞ୍ଚଳ। ଏହା  ଓଡ଼ିଶା ଭିତରେ ଆସୁନାହିଁ। ତେଣୁ ଏଠାରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଉଛନ୍ତି। ଏଥିରେ ଅଦାଲତ ଅବମାନନା ହେଉନାହିଁ। ଜିଲ୍ଲାପାଳ ତାଙ୍କ ସତ୍ୟପାଠରେ ଆରଖୁ ଲୋକସଭା ଆସନ ଓ ସାଲୁରୁ ବିଧାନସଭା  ଆସନର ଭୋଟର ତାଲିକା ଯୋଡିଛନ୍ତି। ଏହି ଯୁକ୍ତି ଦର୍ଶାଇ ଓଡ଼ିଶାର କୋଟିଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ବୋଲି ସେ ଦର୍ଶାଇଛନ୍ତି।

ପ୍ରକାଶ ଥାଉ କି, ଆନ୍ଧ୍ର ବିରୋଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନ ଉପରେ ଆସନ୍ତା ୧୯ ତାରିଖ ଦିନ ଶୁଣାଣୀ ରହିଛି। ଏଥିପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନ୍ଧ୍ର ସରକାର ଜବାବ ଦାଖଲ  କରିଛନ୍ତି।

Leave a Reply

Your email address will not be published. Required fields are marked *