ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନଢେଙ୍କାନାଳର ୧ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ
ଢେଙ୍କାନାଳ(ନି.ପ୍ର) ନୂଆଖାଇ ପୂର୍ବରୁ ତଥା ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଡିବିଟି ମାଧ୍ୟମରେ ରାଜ୍ୟର ୪୧ଲକ୍ଷରୁ ଅଧିକ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି।ଏହି ଅବସରରେ ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର ୧,୩୨,୩୮୮ ଜଣ ଚାଷୀ ଏହି ପଞ୍ଚମ କିସ୍ତିରୁ ଉପକୃତ ହେବେ।କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପାଢ଼ୀହାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ମହିଷାପାଟର ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପୁହାଣ କହିଥିଲେ ଯେ, “ଚାଷୀ ସମୃଦ୍ଧ ହେଲେ ହିଁ ଆମେ ସମସ୍ତେ ସମୃଦ୍ଧ ହେବା।”ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ ଯେ, କୃଷି କ୍ଷେତ୍ରରେ ଢେଙ୍କାନାଳ ଏକ ଅଗ୍ରଣୀ ଜିଲ୍ଲା। ଜିଲ୍ଲାର କୃଷିଜାତ ଉତ୍ପାଦର ବିଶ୍ୱ ବଜାରରେ ପହଞ୍ଚିବାର ବିପୁଳ ସମ୍ଭାବନା ରହିଛି। ମୂଲ୍ୟଯୁକ୍ତ ଉତ୍ପାଦ, ପ୍ରକ୍ରିୟାକରଣ, ନୂତନ ପ୍ରଯୁକ୍ତିର ବ୍ୟବହାର ଓ ଚାଷୀଙ୍କ ଦକ୍ଷତା ବିକାଶ ମାଧ୍ୟମରେ ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ।ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, କ୍ଷୁଦ୍ର ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରୟାସରତ। ସିଏମ୍-କିଷାନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କୃଷିକୁ ଅଧିକ ଲାଭଜନକ କରିବା ପାଇଁ ସରକାରଙ୍କ ସମନ୍ୱିତ ଆଭିମୁଖ୍ୟ ସମ୍ପର୍କରେ ସେ ଆଲୋକପାତ କରିବା ସହ ଚାଷୀମାନଙ୍କୁ ଚାଷରେ ବିବିଧତା ଆଣି ଆୟ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।ପରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଜରିଆରେ ଉପସ୍ଥିତ ଅତିଥି ଓ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ।୨୦୨୬-୨୭ ରବି ଋତୁ ପୂର୍ବରୁ ଚାଷୀମାନଙ୍କୁ ବିହନ, ସାର ଓ କୀଟନାଶକ କ୍ରୟ ସହ କୃଷି ଓ ଆନୁଷଙ୍ଗିକ ଜୀବିକାରେ ସହାୟତା ଯୋଗାଇବା ଏହି ସହାୟତାର ମୁଖ୍ୟ ଉଦ୍ଦେଶ୍ୟ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ଆଧାର। ସିଏମ୍-କିଷାନ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଚାଷୀଙ୍କ ପରିଶ୍ରମ ପ୍ରତି ସମ୍ମାନ। କୃଷି ଉପକରଣ କ୍ରୟଠାରୁ ଆନୁଷଙ୍ଗିକ ଜୀବିକା ଏବଂ ଚାଷୀ ପରିବାରର ପିଲାମାନଙ୍କ ଗୁଣାତ୍ମକ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ସରକାର ସହାୟତା ଯୋଗାଇ ଆସୁଛନ୍ତି ବୋଲି ସେ କହିଥିଲେ।
