ନିମାପଡାରୁ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ
ନିମାପଡା.18/24 ନିମାପଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଘୋଷଣା ପାଇଁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦୀର୍ଘ ଦିନ ହେଲା ଛକାପଞ୍ଝା ଖେଳ ଚାଲିଥିବା ବେଳେ ମାଳମାଳ ଟିକେଟ ଆଶାୟୀଙ୍କୁ ନିରାଶ କରି, ନବୀନଙ୍କ ସ୍ଲୋଗାନ ଗାଁ’କୁ କାମ, ମା’କୁ ସମ୍ମାନ ନାରାକୁ ବଜାୟ ରଖିବା ସହ ଯୁବନେତା ଦିଲ୍ଲୀପ ନାୟକ ନିମାପଡ଼ା ଆସନ ପାଇଁ ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି। ଲଗାତର ୩ଥର ବିଜୟୀ ହୋଇଥିବା ସମୀର ଦାଶଙ୍କ ବିଜୟଧାରାରେ ରୋକ୍ ଲଗାଇବା ସହ ସମୀରଙ୍କ ଠାରୁ ଟିକେଟ ଛଡାଇ ନେଇଛନ୍ତି। ବିଜେପି ଛାଡି ବିଜେଡ଼ିରେ ଯୋଗଦେବାର ମାତ୍ର ଆଠଦିନ ଭିତରେ ନିମାପଡ଼ା ରାଜନୀତିରେ ଗେମ ଚେଞ୍ଜର ଭାବରେ ନିଜକୁ ସାବ୍ୟସ୍ତ କରିଛନ୍ତି।୧୫ବର୍ଷର ଟାଣୁଆ ଚେରକୁ ଓପାଡିବାରେ ସକ୍ଷମ ହୋଇଛନ୍ତି ଯୁବନେତା ଦିଲ୍ଲୀପ। ଅହଙ୍କାରୀ ନେତା, ଭ୍ରଷ୍ଟାଚାର ଶାସନ, କୁସଂସ୍କାର ନୀତି କୁ ଆଉ ପ୍ରଶୟ ଦିଆଯିବ ନାହିଁ ବୋଲି ପୂର୍ବରୁ ଦିଲ୍ଲୀପ ନେଇଥିବା ସଂକଳ୍ପ ଆଜି ପୁରା ହେବାକୁ ଯାଉଛି ବୋଲି ଦିଲ୍ଲୀପଙ୍କ ସହଯୋଗୀ ଅଜୟ ଭୋଇ କହିଛନ୍ତି। ନିମାପଡ଼ାବାସୀଙ୍କର ପରିବର୍ତ୍ତନର ସ୍ୱର, ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଏବଂ ପୁରୁଖାଙ୍କୁ ବିଶ୍ରାମ ଦେଇ ନୂଆମୁହଁକୁ ସୁଯୋଗ ଆଦି ସମ୍ବନ୍ଧରେ ବିଚାର କରି ସୁପ୍ରିମୋ ସଠିକ ନିଷ୍ପତ୍ତି ନେଇଛନ୍ତି ବୋଲି ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ କହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ମୋ ଉପରେ ଯେଉଁ ଭରଷା ରଖି ନିଜର ଦକ୍ଷ ସେନାପତି ଭାବେ ଚୟନ କରିଛନ୍ତି ମୁଁ ନିଶ୍ଚୟ ତାହାର ମୂଲ୍ୟ ରଖିବି, ନିମାପଡ଼ାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିବି ବୋଲି କହିଛନ୍ତି ନିମାପଡ଼ା ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ।
