ମା’ ରାମଚଣ୍ତୀଙ୍କ ମହାଲକ୍ଷ୍ମୀ ବେଶ ଓ ହାଣ୍ଡିଭଙ୍ଗା ଯାତ ପାଳିତ
** -ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ତଥା ଅଧିଷ୍ଠାତ୍ରୀ ଦେବୀ l ମା’ ଙ୍କ ପୀଠରେ ବର୍ଷତମାମ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ଓ ନିଆରା ପର୍ବ ହେଉଛି ହାଣ୍ଡିଭଙ୍ଗା ଯାତ l ଏହା ଓଡ଼ିଆଣୀ କୂଳବଧୂ ମାନଙ୍କର ଏକ ନିଆରା ପର୍ବ l

କାହିଁ କେଉଁ କାଳରୁ ପୁରୁଷାନୁକ୍ରମେ ନିକଟସ୍ଥ ଗ୍ରାମ ଖାଲକଟାପାଟଣା ଓ ଟିକନା ଗ୍ରାମର କୂଳବଧୂମାନେ ନିଜ ନିଜର ପରିବାରର ଶୁଭ ମନାସି ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗା ଯାତକୁ ମହାଆଡ଼ମ୍ବରରେ ପାଳନ କରିଥାନ୍ତି l ଘଞ୍ଚ ଜଙ୍ଗଲ ଓ ସମୁଦ୍ରକୂଳରେ ଏହି ଦୁଇଟି ଗ୍ରାମର ଅବସ୍ଥିତି ଥିବାରୁ ଜଙ୍ଗଲି ଜୀବଜନ୍ତୁଙ୍କ ଆକ୍ରମଣ ଓ ସମୁଦ୍ର ଜନବସତିକୁ ମାଡ଼ି ନ ଆସିବା ପାଇଁ ଗ୍ରାମର କୂଳବଧୂମାନେ ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗା ଯାତକୁ ପୁରୁଷାନୁକ୍ରମେ ପାଳନ କରି ଆସୁଛନ୍ତି l
