ବାବା ମୁକ୍ତେଶ୍ଵର ମନ୍ଦିରରେ ଶିବ-ପାର୍ବତୀ ବିବାହ

**ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କୁଆଁରଦା ଗ୍ରାମ ରେ ଶ୍ରୀଶ୍ରୀ ମୁକ୍ତେଶ୍ଵର ଶିବ ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶିବ-ପାର୍ବତୀ ବିବାହୋତ୍ସବ ଅନୁଷ୍ଠିତ ହୋଇଯାଇଛି l କନ୍ୟାକର୍ତ୍ତା ସୋନାଲି ପଣ୍ଡା ଓ ଅଜୟ ପଣ୍ଡା ଏବଂ ବରକର୍ତ୍ତା ରୂପେ କାମିନୀ ସ୍ୱାଇଁ ଓ ସନାତନ ସ୍ୱାଇଁ ଦାୟିତ୍ୱ ତୁଲାଇଥିଲେ l

ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ତଥା ବୈଦିକ ରୀତିନୀତିରେ ଏହି ବିବାହୋତ୍ସବ ଅନୁଷ୍ଠିତ ହୋଇଥିଲା l ବିବାହ କର୍ମକାଣ୍ଡ ପୂର୍ବରୁ ବାବା ମୁକ୍ତେଶ୍ଵରଙ୍କର ସମସ୍ତ ନୀତିପୂଜା ସହ ଦିବସ ବ୍ୟାପୀ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା l ବାବାଙ୍କ ଚଳନ୍ତି ପ୍ରତିମା ବିଗ୍ରହ ହରଙ୍କୁ ବରବେଶରେ ଏବଂ ମା’ ଗୌରୀଙ୍କ ଚଳନ୍ତି ପ୍ରତିମାଙ୍କୁ କନ୍ୟାବେଶରେ ସଜ୍ଜିତ କରାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା l ଭଜନକୀର୍ତ୍ତନ ବାଦ୍ୟ ଓ ରୋଷଣି କରାଯାଇ ଉଭୟ ବରକନ୍ୟାଙ୍କୁ ମନ୍ଦିର ବେଢ଼ା ପରିକ୍ରମା ସହ ଯଜ୍ଞବେଦୀକୁ ନିଆଯାଇ ସେଠାରେ ବରଧରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l ସେଠାରେ କନ୍ୟାମାତା ସୋନାଲି ପଣ୍ଡା ଓ ବରମାତା କାମିନୀ ସ୍ୱାଇଁ କନକାଞ୍ଜୁଳି ବାନ୍ଧିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା l ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ତଥା ମହିଳାଙ୍କ ଶଙ୍ଖ ହୁଳୁହୁଳି ଶବ୍ଦରେ ପରିବେଶ ଭକ୍ତିମୟ ହୋଇଥିଲା l ମୁକ୍ତେଶ୍ଵର ମନ୍ଦିରର ପୀଠାଧୀଶ ଆଚାର୍ଯ୍ୟ ଜ୍ଞାନରଞ୍ଜନ ଦାଶ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ସମସ୍ତ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା l ଉପାଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦାଶ ଆଧ୍ୟାତ୍ମିକ କାର୍ଯ୍ୟ ପରିଚାଳନା କରିଥିଲେ l ଆୟୋଜିତ ଉତ୍ସବ ରେ ସଭାପତି ସଞ୍ଜୟ କୁମାର ପୁହାଣ, ସମ୍ପାଦକ ନନ୍ଦ କିଶୋର ମଲ୍ଲିକ, ଉପଦେଷ୍ଟା ରାସ ବିହାରୀ ନାୟକ ଓ ସେବକ ରାମ ଚନ୍ଦ୍ର ବାରିକ ଉପସ୍ଥିତ ରହି ସମସ୍ତ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *